ନୂଆଦିଲ୍ଲୀ: ନିଟ ପିଜି ସୁପର ସ୍ପେଶାଲିଟି ପରୀକ୍ଷା ଫର୍ମାଟରେ ହଠାତ୍ ପରିବର୍ତ୍ତନ କରି ସୁପ୍ରିମକୋର୍ଟଙ୍କ ଭର୍ତ୍ସନାର ଶିକାର ହୋଇଥିବା କେନ୍ଦ୍ର ସରକାର ଆଜି ନିଜର ମତ ବଦଳାଇଛନ୍ତି। ଚଳିତ ବର୍ଷ ପରୀକ୍ଷା ଫର୍ମାଟରେ କୌଣସି ପରିବର୍ତ୍ତନ ହେବନି। ଯୁବ ଡାକ୍ତରମାନେ ପୁରୁଣା ଫର୍ମାଟରେ ହିଁ ପରୀକ୍ଷା ଦେବେ। କିନ୍ତୁ ୨୦୨୨/୨୩ ଶିକ୍ଷାବର୍ଷରୁ ନୂଆ ଫର୍ମାଟରେ ପରୀକ୍ଷା ହେବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।
ସରକାର ତରବରିଆ ଭାବେ ନିଟ୍ ପିଜି ପରୀକ୍ଷାର ଫର୍ମାଟ ପରିବର୍ତ୍ତନ କରିଥିବାରୁ ନିକଟରେ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଥିଲେ। ଯୁବ ଓ ପ୍ରତିଭାବାନ ଡାକ୍ତରମାନଙ୍କୁ କ୍ଷମତା ଖେଳରେ ଫୁଟବଲ ଭଳି ବ୍ୟବହାର ନ କରିବାକୁ ତାଗିଦ କରିଥିଲେ। ଏହି ଛାଟ ପରେ ଆଜି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱାର୍ଯ୍ୟା ଭାଟି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ପରୀକ୍ଷା ଫର୍ମାଟ ଆସନ୍ତା ବର୍ଷରୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ଢାଞ୍ଚାରେ ହିଁ ବର୍ତ୍ତମାନ ପରୀକ୍ଷା ହେବ ବୋଲି ସେ କହିଛନ୍ତି।
ନିଟ୍ ପିଜି ସୁପର ସ୍ପେଶାଲିଟି ପରୀକ୍ଷା ଆସନ୍ତା ମାସରେ ହେବାକୁ ଥିଲା। କିନ୍ତୁ କେନ୍ଦ୍ର ସରକାର ଗତାକାଲି ଏହାକୁ ଜାନୁଆରୀ ମାସ ଯାଏ ସ୍ଥଗିତ ରଖାଯାଇଥିବା ଘୋଷଣା କରିଥିଲେ। ଆଜି କୋର୍ଟ ସରକାରଙ୍କୁ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରିବାକୁ ସବୁ ପ୍ରକାରର ସ୍ୱାଧୀନତା ଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସରକାରଙ୍କ ୟୁ-ଟର୍ଣ୍ଣରେ ସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜେନେରାଲ ମେଡିସିନ ପ୍ରାର୍ଥୀଙ୍କୁ ସୁହାଇଲା ଭଳି ନିଟ୍ ଏସଏସ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ୪୧ ଜଣ ପୋଷ୍ଟ ଗ୍ରାଜ୍ୟୁଏଟ୍ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୮ ନିଟ୍ ଏସଏସ୍ ପରୀକ୍ଷାରେ ଜେନେରାଲ ମେଡିସିନରୁ ୪୦% ଓ ସୁପର ସ୍ପେଶାଲିଟିରୁ ୬୦% ପ୍ରଶ୍ନ ପଡ଼ିଥିଲା। କିନ୍ତୁ ଏଥର ସବୁ ପ୍ରଶ୍ନ ଜେନେରାଲ ମେଡିସିନରୁ ଆସିବ ବୋଲି ବ୍ୟବସ୍ଥା କରାଯାଇଥିଲା।
ଏହାକୁ ବିରୋଧ କରି ଆବେଦନକାରୀ କହିଥିଲେ ଯେ ନିଟ୍ ଏସ୍ଏସ୍ ୨୦୨୧ ପରୀକ୍ଷା ପାଇଁ ତାରିଖ ଜୁଲାଇ ୨୩ରେ ଘୋଷଣା କରାଯାଇଥିଲା। କିନ୍ତୁ ଏହାର ପ୍ରାୟ ମାସକ ପରେ ଅର୍ଥାତ ୨୦୨୧ ମସିହା ଅଗଷ୍ଟ ୩୧ରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଥିବା କୁହାଯାଇଥିଲା। ପରୀକ୍ଷା ନଭେମ୍ବର ୧୩ ଓ ୨୪ରେ ହେବାକୁ ଥିବା ବେଳେ ୨ ମାସ ପୂର୍ବରୁ ହଠାତ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଛି।
ପୁରୁଣା ଢାଞ୍ଚାରେ ଆଶାୟୀମାନେ ୩ ବର୍ଷ ହେଲା ଅଭ୍ୟାସ କରୁଥିବା ବେଳେ ଏଥିରେ ପରିବର୍ତ୍ତନ କାହା ସ୍ୱାର୍ଥରେ ବୋଲି ଆବେଦନକାରୀମାନେ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିରେ ଏକମତ ହୋଇ କେନ୍ଦ୍ର ସରକାରଙ୍କୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ।
The post ଭର୍ତ୍ସନା ପରେ ଚେତିଲେ ସରକାର, ପୁରୁଣା ଢାଞ୍ଚାରେ ହେବ ନିଟ୍ ପିଜି ଏସଏସ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/3Fl7rKW
No comments:
Post a Comment