ନାଗପୁର: ବିଜୟା ଦଶମୀ ତଥା ଆରଏସ୍ଏସ୍ର ପ୍ରତିଷ୍ଠା ଦିବସରେ ପାକିସ୍ତାନ ଓ ଚାଇନାକୁ ଟାର୍ଗେଟ କରିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ନାଗପୁରରେ ଥିବା ଆରଏସ୍ଏସ୍ ମୁଖ୍ୟାଳୟରେ ସେ ଉଦବୋଧନ ଦେବା ବେଳେ ତାଲିବାନ ସମ୍ଭବତଃ ବଦଳି ଯାଇପାରେ ବୋଲି ମଧ୍ୟ କହିଛନ୍ତି। ତଥାପି ତାଲିବାନ ପ୍ରତି ଭାରତ ସତର୍କ ରହିବା ଦରକାର ଓ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଉଚିତ ବୋଲି ଭାଗବତ କହିଛନ୍ତି।
ସେ କହିଛନ୍ତି, କିଛି ଲୋକ କହୁଛନ୍ତି ତାଲିବାନ ଏବେ ବଦଳି ଯାଇଛି। ଆଉ କିଛି ଲୋକ କହୁଛନ୍ତି ତାଲିବାନ ମାନସିକତା ବଦଳିନି। ତାଲିବାନର ଇତିହାସ ସମ୍ପର୍କରେ ସମସ୍ତେ ଭଲ ଭାବେ ଜାଣିଛନ୍ତି। ତେଣୁ ଭାରତକୁ ତାଲିବାନ ପ୍ରତି ସତର୍କ ରହିବା ଦରକାର। ତାଲିବାନ ସମ୍ଭବତଃ ବଦଳି ଯାଇ ପାରେ। କିନ୍ତୁ ପାକିସ୍ତାନ ଓ ଚାଇନା କେବେ ବଦଳିବେ ନାହିଁ।
ଆଜି ବି ପାକିସ୍ତାନ ଓ ଚାଇନା ତାଲିବାନକୁ ସମର୍ଥନ କରୁଛନ୍ତି। ଭାରତ ପ୍ରତି ଥିବା ସେମାନଙ୍କ ମାନସିକତା କେବେ ବି ବଦଳିନି। କଥାବାର୍ତ୍ତା ଦ୍ୱାରା ବିବାଦର ସମାଧାନ ହୋଇପାରିବ। କିନ୍ତୁ ପ୍ରଥମେ ଆମକୁ ଆମ ସୀମାର ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଏହି ଅବସରରେ ସେ ଓଟିଟି ଓ ଜନସଂଖ୍ୟା ନୀତି ଉପରେ ମଧ୍ୟ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହାମାରୀ ବ୍ୟାପିବା ପରେ ଛୋଟ ପିଲାମାନେ ମଧ୍ୟ ମୋବାଇଲର ବ୍ୟବହାର କରୁଛନ୍ତି। ସେମାନେ ଫୋନରେ କ’ଣ ସବୁ ଦେଖୁଛନ୍ତି, ତା’ ଉପରେ କାହାର ନିୟନ୍ତ୍ରଣ ନାହିଁ। ସେହିପରି ଓଟିଟି ପ୍ଲାଟଫର୍ମରେ ଯିଏ ଯାହା ଚାହୁଁଛି କରିପାରୁଛି। ଏହା ଉପରେ ନିୟନ୍ତ୍ରଣ ରହିବା ଜରୁରୀ। ସରକାରଙ୍କୁ ସକୁ କଥାରେ ଅପେକ୍ଷା କରାଯାଇ ପାରିବ ନାହିଁ। ଜଣେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସେ କହିଛନ୍ତି।
ଜନସଂଖ୍ୟା ନୀତି ଉପରେ ବିଚାର କରିବାକୁ ଶ୍ରୀ ଭାଗବତ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆମକୁ ଆସନ୍ତା ୫୦ ବର୍ଷ ପାଇଁ ଜନସଂଖ୍ୟା ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଜନସଂଖ୍ୟା ନୀତି ଉପରେ ପୁଣି ବିଚାର କରିବାର ସମୟ ଆସିଛି। ନୂଆ ନୀତି ଆସିଲେ ଏହା ସମସ୍ତ ଉପରେ ସମାନ ଭାବେ ଲାଗୁ ହୋଇପାରିବ। ଜନସଂଖ୍ୟା ଅସମାନତା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି।
The post ପାକ୍ ଓ ଚାଇନାକୁ ଟାର୍ଗେଟ କଲେ, ତାଲିବାନ ସମ୍ପର୍କରେ ଏମିତି କହିଲେ ଭାଗବତ appeared first on Odisha Reporter.
from Odisha Reporter https://ift.tt/3AKnFdg
No comments:
Post a Comment