ନୀଳଗିରି(ବିଶ୍ୱମ୍ବର ଦାସ): ଡିଜେ ବାଜିବାରୁ ହୃଦଘାତରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗାଁରେ ।
ସୂଚନାଅନୁସାରେ, ଗତକାଲି କାଣ୍ଡଗରଡ଼ି ଗାଁର ଜଣଙ୍କର ଝିଅ ବାହାଘରକୁ ବରଯାତ୍ରୀ ବହୁତ ଜୋର ସାଉଣ୍ଡରେ ଡିଜେ ବଜାଇ ଆସିଥିଲେ। କୁକୁଡ଼ା ଫାର୍ମ ନିକଟରେ ଡିଜେ ଗାଡି ରଖି ଅନେକ ସମୟ ଧରି ଉଚ୍ଚ ଶବ୍ଦରେ ସଂଗୀତ ବଜାଇଥିଲେ। ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥାକୁ ଶୁଣିନଥିଲେ। ଫଳରେ ଡିଜେ ଶବ୍ଦରେ ଫାର୍ମରେ ଥିବା ୨୦୦୦ କୁକୁଡ଼ା ଭୟରେ ଚଢ଼ାଚଢ଼ି ହୋଇ ଏକଜୁଟ ହୋଇଯାଇଥିଲେ। ପରସ୍ପର ଚଢ଼ାଚଢ଼ି ହେବାଫଳରେ ୬୩ଟି କୁକୁଡ଼ାର ମୃତ୍ୟୁ ଘଟିଥିଲା।
ରଞ୍ଜିତ କ୍ଷତିପୂରଣ ପାଇଁ କନ୍ୟା ଘର ଲୋକଙ୍କ ନିକଟରେ ଦାବି କରିଥିଲେ। ହେଲେ ତାଙ୍କ କଥା କେହି ନ ଶୁଣି ବାରୁ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ। ହୃଦଘାତରୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ନୀଳଗିରି ଥାନା ପୁଲିସ ମାମଲାର ତଦନ୍ତ କରୁଛି।
କୁକୁଡ଼ା ଚାଷୀ ରଞ୍ଜିତ ପରିଡା କହିଛନ୍ତି, ଅଧିକ ଡିଜେ ଶବ୍ଦ ଯୋଗୁ ମୋ କୁକୁଡ଼ା ଫାର୍ମରେ ୬୩ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ହୃଦଘାତରେ ଏହି କୁକୁଡ଼ା ଗୁଡ଼ିକର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ପରେ ଜଣାପଡ଼ିଥିଲା। ଡିଜେ ସାଉଣ୍ଡ କମ୍ କରିବା ପାଇଁ କହିବାରୁ ବରକନ୍ୟା ପକ୍ଷରୁ ମୋତେ ଗାଳିଗୁଲଜ କରିଥିଲେ। ପଶୁପତି କମ୍ପାନୀର କର୍ମଚାରୀମାନେ ଆସି ଏହି କୁକୁଡ଼ା ଗୁଡ଼ିକର ପୋଷ୍ଟମର୍ଟମ କରିଛନ୍ତି। ବଜାର ଦର ଅନୁସାରେ ମୋତେ କ୍ଷତିପୂରଣ ଦିଆଯାଉ ବୋଲି ମୁଁ ଦାବି କରୁଛି।
The post ଡିଜେ ସାଉଣ୍ଡରେ ମରିଗଲେ ୬୩କୁକୁଡ଼ା! appeared first on Odisha Reporter.
from Odisha Reporter https://ift.tt/30SOdNf
No comments:
Post a Comment