ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଞ୍ଚାୟତ ଅଞ୍ଚଳର ରାମଚନ୍ଦ୍ର ଜେନା । ବୟସ ୯୭ ପାର୍ ହୋଇଗଲାଣି। ନିଶ୍ଚଳ ପ୍ରାୟ ଶରୀର । ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ପାରାଲିସିସ ଯୋଗୁ ନା ନିଜେ ବାଟ ଚାଲି ପାରୁଛନ୍ତି ନା କିଛି କହି ପାରୁଛନ୍ତି। ହେଲେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କିମି ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଆସିଲେ। ହିତାଧିକାରୀଙ୍କ ଟିପ ଚିହ୍ନ ନ ହେଲେ KYC ପୂରଣ କରିବା ଅସମ୍ଭବ । ତେଣୁ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବାକୁ ଆଧାର କାର୍ଡ ଓ ଟିପ ଚିହ୍ନ ଦରକାର ବୋଲି ସଫା ସଫା ଶୁଣାଇଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଏହାପରେ ବାଧ୍ୟ ହୋଇ ଝିଅ, ଜ୍ୱାଇଁ ଟ୍ରଲିରେ ବୃଦ୍ଧ ପିତାଙ୍କୁ ଧରି ବ୍ୟାଙ୍କ ଆସିଲେ।
ଅବହେଳାର ଆଉ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଞ୍ଚାୟତ ଅଞ୍ଚଳରେ । ବୟସ୍କ ବ୍ୟକ୍ତିଙ୍କ ନିକଟକୁ ବ୍ୟାଙ୍କ ମିତ୍ର କିମ୍ବା ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧୀ ଯାଇ ସେମାନଙ୍କ ସମସ୍ୟା ସମାଧାନ କରିବା ନିମନ୍ତେ କଡ଼ା ନିୟମ ହୋଇଥିବା ବେଳେ ଏଠାରେ ତାହା ଲୋକହସା ହୋଇଯାଇଛି।
ସୂଚନା ଅନୁଯାୟୀ, ରାମଚନ୍ଦ୍ର ଜେନାଙ୍କ ବୟସ ୯୭ ପାର୍ ହୋଇ ସାରିଥିବା ବେଳେ ନିଜ ବୋଲି କେହି ନାହାନ୍ତି। ମାସେ ପୂର୍ବେ ପାରାଲିସିରେ ଆକ୍ରାନ୍ତ ହୋଇଥିବା ବେଳେ ବିଛଣାରୁ ଉଠିବା ସମ୍ଭବପର ହୋଇପାରୁ ନ ଥିଲା। ନା ହାତ ଗୋଡ଼ ଚାଲୁଥିଲା ନା ପାଟି ଫିଟୁଥିଲା। ଏପରି ସ୍ଥିତିରେ ଝିଅଜ୍ୱାଇଁ ପାଖରେ ରହି ସେବା କରିବା ପରେ ଏବେ ରାମଚନ୍ଦ୍ର ଉଠି ବସୁଛନ୍ତି।
ରାମଚନ୍ଦ୍ରଙ୍କ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଆବେଦନ କରାଯାଇଥିବା ବେଳେ KYC ଦାଖଲ ନ କଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବନି ବୋଲି ସଫା ସଫା ଶୁଣେଇ ଦେଲେ କର୍ତ୍ତୃପକ୍ଷ । ତେଣୁ ଝିଅଜ୍ୱାଇଁ ବାଧ୍ୟ ହୋଇ ଟିପ ଚିହ୍ନ ଦେବାକୁ ବୃଦ୍ଧ ରାମଚନ୍ଦ୍ରଙ୍କୁ ଟ୍ରଲିରେ ବୋହି ୫ କିମି ଆଣିଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧୀ ପହଞ୍ଚିବା ପରେ ତରତର ହୋଇ ତାଙ୍କ ଟିପ ଚିହ୍ନ ନିଆଯାଇଥିଲା। ଏହାପରେ ସେ ଘରକୁ ଫେରି ଯାଇଥିବା ଜଣାଯାଇଛି।
ଏନେଇ ରାମଚନ୍ଦ୍ରଙ୍କ ଝିଅ ମଞ୍ଜୁଲତା କହିଛନ୍ତି, ସରକାର କୋଭିଡ ସମୟରେ ହାତେ ହାତେ ଟଙ୍କା ଦେଉଥିଲେ। ଏବେ ବ୍ୟାଙ୍କକୁ ପଠାଉଛନ୍ତି। କହିଲେ କାଗଜପତ୍ର ଆଣ । ଲୋକ ନ ଆସିଲେ ଟଙ୍କା ଦେଇ ହେବନି କି ଆକାଉଣ୍ଟ ଖୋଲି ହେବନି। ମାସେ ପୂର୍ବରୁ ପାରାଲିସିସ ହୋଇଗଲା। ଏବେ ଚିକିତ୍ସା ପରେ ଟିକେ ସୁଧାର ଆସିଛି। ତେଣୁ ଏବେ ଟ୍ରଲିରେ ବୋହି ବ୍ୟାଙ୍କକୁ ଆଣିଲୁ।
ଏନେଇ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧୀ କହିଛନ୍ତି, ମ୍ୟାନେଜରଙ୍କ ସମ୍ମୁଖରେ ଟିପ ଚିହ୍ନ ଦେବା କଥା। ଏବେ ତାହା ହୋଇଗଲା। ଆକାଉଣ୍ଟ ଆକ୍ଟିଭ ହୋଇଗଲା ପରେ ଏବେ ତାଙ୍କୁ ଘରେ ଟଙ୍କା ଦେଇଦେବୁ।
ହେଲେ ବୟସ୍କ ଲୋକଙ୍କ ଘରକୁ ଯାଇ ତାଙ୍କୁ ସବୁ ପ୍ରକାର ସରକାରୀ ସୁବିଧାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲେ ଏଠାରେ କାହିଁକି ଏ ପ୍ରକାର ଅବହେଳା ପ୍ରଦର୍ଶନ କରାଗଲା, ସେ ନେଇ ସଠିକ ଭାବେ କେହି କିଛି କହିପାରୁ ନାହାନ୍ତି।
The post ଲୋକହସା ବ୍ୟବସ୍ଥା; ଟ୍ରଲିରେ ବ୍ୟାଙ୍କକୁ ବୁହା ହେଲେ ୯୨ ବର୍ଷୀୟ ବୃଦ୍ଧ appeared first on Odisha Reporter.
from Odisha Reporter https://ift.tt/3HNe3TO
No comments:
Post a Comment