ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ଠାବ କରିବା ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ। ଏହା ସହିତ ରାଜ୍ୟ ସରକାରଙ୍କ ଏହି କୁବେର ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।
ପ୍ରତାପ ସାମଲଙ୍କ ଠାରୁ ଗତକାଲି ବିଡ଼ା ବିଡ଼ା ଟଙ୍କା, ମାଳ ମାଳ ପ୍ଲଟ, ଆଖି ଖୋସିଲା ପରି ବିଲ୍ଡିଂ ଓ ଆପାର୍ଟମେଣ୍ଟ ଜବତ କରିବା ପରେ ତାଜୁବ ହୋଇଯାଇଥିଲେ ଚଢ଼ାଉ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ। ବିଳମ୍ବିତ ରାତି ଯାଏ ହିସାବ ସରି ନଥିଲା। ତାଙ୍କ ଠାରୁ ୨୫ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ୨୫ଟି ପ୍ଲଟର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ।
ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ଗତକାଲି ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍ଭିନ୍ କରିଥିଲା। ଭୋରରେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଭିଜିଲାନ୍ସ ଟିମ୍କୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଘରର କବାଟ ଖୋଲି ନ ଥିଲେ ପ୍ରତାପ। ଏହି ସମୟରେ ସେ ଏକ ପେଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ଯାଞ୍ଚ କରି ପେଟି ଭର୍ତ୍ତି ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।
ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା (ସିଭିଲ) ପାଠ୍ୟକ୍ରମ ଶେଷ କରିଥିଲେ। ୧୯୮୮ ମସିହାରେ ଜୁନିଅର ଇଞ୍ଜି଼ନିଅର (ସିଭିଲ) ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ। ୧୯୯୫ ପର୍ଯ୍ୟନ୍ତ ଏଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କରିଥିଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର ଓ କଟକରେ କାମ କରିଛନ୍ତି। ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ ନିଯୁକ୍ତି ପାଇଲେ।
ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ କୋଠା କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ। ତେବେ ୩୩ ବର୍ଷ ଚାକିରି ସମୟରେ କେମିତି ଏବଂ କେଉଁ ବାଟ ଦେଇ ଅମାପ ସମ୍ପତ୍ତି ସଞ୍ଚୟ କଲେ, ତାଙ୍କର କେତେ ଆୟବର୍ହିଭୂତ ସମ୍ପତ୍ତି ଅଛି, ସେସବୁ ଭିଜିଲାନ୍ସ ଆକଳନ କରୁଛି। ଏହାବାଦ ସେ ଆଉ କେଉଁଠି କେତେ ସମ୍ପତ୍ତି ଠୁଳ କରିଛନ୍ତି, କେତେ ଥର ବିଦେଶ ଗସ୍ତ କରିଛନ୍ତି, ସେ ସଂପର୍କରେ ଜାଣିବାକୁ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।
The post କୁବେର ଅଧିକାରୀ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ appeared first on Odisha Reporter.
from Odisha Reporter https://ift.tt/31CIfjI
No comments:
Post a Comment