ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଇଟା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜେରା ପାଇଁ ପୁଲିସ୍ ଜଣେ ୨୨ ବର୍ଷୀୟ ଯୁବକଙ୍କ ଥାନାକୁ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଥାନାର ଟଏଲେଟରେ ଆତ୍ମହତ୍ୟା କରିଥିବା ପୁଲିସ୍ କହିଛି। ହେଲେ ଏହାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରନାହାନ୍ତି। ଏହି ଘଟଣାରେ ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ୨୨ ବର୍ଷୀୟ ଅଲତାଫଙ୍କୁ ପୁଲିସ ଥାନାକୁ ଜେରା କରିବାକୁ ଆଣିଥିଲା। ଗତ ସପ୍ତାହରେ ଜଣେ ମହିଳାଙ୍କ ଅପହରଣ ଓ ବଳ ପୂର୍ବକ ବିବାହ ଘଟଣାରେ ରୁଜୁ ମାମଲାରେ ଅଲତାଫଙ୍କ ଭୂମିକା ଜାଣିବା ପାଇଁ ପୁଲିସ୍ ଚାହିଁଥିଲା। ତେଣୁ ତାଙ୍କୁ ଥାନାକୁ ଆଣି ଜେରା କରାଯାଉଥିଲା। ତେବେ ବୁଧବାର ସକାଳୁ ତାଙ୍କର ମୃତ୍ୟୁ ଥାନାରେ ଘଟିଥିବା ପରିବାର ଲୋକ ଜାଣିବାକୁ ପାଇଛନ୍ତି।
ଇଟା ଜିଲ୍ଲାର ପୁଲିସ୍ ମୁଖ୍ୟ ରୋହନ ପ୍ରମୋଦ ଗୋଟିଏ ଭିଡିଓ ଜାରି କରି କହିଛନ୍ତି, ୨୨ ବର୍ଷୀୟ ଅଲତାଫ ଟଏଲେଟ ଯିବାକୁ ଚାହିଁଥିଲେ। ପୁଲିସ୍ କର୍ମଚାରୀମାନେ ତାଙ୍କୁ ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ। ତେବେ ସେ ଟଏଲେଟରୁ ନ ଫେରିବାକୁ କର୍ମଚାରୀମାନେ ସେଠାକୁ ଯାଇଥିଲେ।
ଅଲତାଫ ଗୋଟିଏ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ। ଏଥିରେ ଲାଗିଥିବା ହୁକ୍ର ବ୍ୟବହାର କରି ସେ ୱାଶରୁମରେ ଲାଗିଥିବା ଟ୍ୟାପ୍ରେ ଝୁଲି ପଡ଼ିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ହେଲେ ୧୦ରୁ ୧୫ ମିନିଟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଏହି ଘଟଣାରେ ରୋହନ ପ୍ରମୋଦ କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।
ଅନ୍ୟପକ୍ଷାରେ ଅଲତାଫଙ୍କ ବାପା ଚାନ୍ଦ ମିୟାନ କହିଛନ୍ତି, “ମୁଁ ମୋର ପୁଅକୁ ପୁଲିସ୍କୁ ହସ୍ତାନ୍ତର କରିଥିଲି। ହେଲେ ସେମାନେ ମୋ ପୁଅକୁ ହତ୍ୟା କରି ଝୁଲାଇ ଦେଲେ।”
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ଦେଶର ସବୁ ଥାନା, ସିବିଆଇ, ଏନଆଇଏ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି ଲଗାଇବାକୁ କହିଥିଲେ। ନାଇଟ ଭିଜନ କ୍ୟାମେରା ସହ ଅଡିଓ ରେକର୍ଡିଂର ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ସରକାରମାନଙ୍କୁ କହିଥିଲେ। କିନ୍ତୁ ଅଧିକାଂଶ ସ୍ଥାନରେ ଏପରି ବ୍ୟବସ୍ଥା ହୋଇନି। ଉତ୍ତର ପ୍ରଦେଶର କେତୋଟି ଥାନାରେ ସିସିଟିଭି ଲାଗିଛି, ତା’ର ଖବର ମଧ୍ୟ କାହା ପାଖରେ ନାହିଁ।
The post ପଚରାଉଚରା ପାଇଁ ଆଣିଥିଲା ପୁଲିସ୍, ଥାନାରେ ଗଲା ଯୁବକଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3C1CN6w
No comments:
Post a Comment