ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଆଜି ହେଉଛି ଦ୍ୱିତୀୟ ଦିନ। ଆଉ ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍କୁ ଜିତିଛି ଆର୍ଜେଣ୍ଟିନା। ଦଳ ଇଜିପ୍ଟକୁ ୧୪-୦ ଗୋଲ୍ରେ ପରାସ୍ତ କରିଛି, ଯାହା ଏକ ରେକର୍ଡ। ଏହା ପୂର୍ବରୁ ୧୯୮୨ରେ ସିଙ୍ଗାପୁର ବିପକ୍ଷରେ ଭାରତ ୧୩-୦ ଗୋଲ୍ରେ ବିଜୟୀ ହୋଇଥିଲା।
ସକାଳ ସାଢ଼େ ୯ଟାରେ ଆଜିର ଏହି ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଥିଲା। ଆଉ ପ୍ରଥମ ଗୋଲଟି ଆର୍ଜେଣ୍ଟିନା ପେନାଲ୍ଟି କର୍ଣ୍ଣର ଜରିଆରେ ପାଇଥିଲା। ଆର୍ଜେଣ୍ଟିନା କ୍ୟାପଟେନ ଫାକୁଣ୍ଡୋ ଜାରାତେ ଏହି ଗୋଲ୍ କରିଥିଲେ।
ପ୍ରଥମ କ୍ୱାର୍ଟରର ତୃତୀୟ ମିନିଟ୍ରେ ଦଳର ଅଧିନାୟକ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୨ତମ ମିନିଟ୍ରେ ୧୭ନମ୍ବର ଜର୍ସିରେ ଥିବା ଫ୍ରାନ୍ସିସ୍କୋ ରୁଇଜ ଦେଇଥିଲେ ଦ୍ୱିତୀୟ ଗୋଲ୍। ଏହା ପରେ ୧୪ତମ ମିନିଟରେ ଦଳକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୋଲ୍ରେ ପରିଣତ କରିଥିଲେ ୮ ନମ୍ବର ଜର୍ସି ପରିଧାନ କରିଥିବା ଲାଉତର ଡୋମେନେ। ଏହା ସହିତ ପ୍ରଥମ କ୍ୱାର୍ଟରରେ ଦଳ ୩-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଆର୍ଜେଣ୍ଟିନାର ପ୍ରଭାବୀ ପ୍ରଦର୍ଶନୀ ଜାରି ରହିଥିଲା। ୨୨ତମ ମିନିଟରେ ଦଳ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ ୨୦ନମ୍ବର ଜର୍ସିରେ ଥିବା ବାଉତିସ୍ତ କାପୁରୋ। ଏହା ପରେ ୨୫ତମ ମିନିଟରେ ୭ନମ୍ବର ଜର୍ସିରେ ଥିବା ଖେଳାଳି ଫ୍ରାନକୋ ଅଗୋଷ୍ଟିନ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୫-୦ଗୋଲ୍ରେ ଆଗୁଆ ରହିଥିଲା ଆର୍ଜେଣ୍ଟିନା।
ତୃତୀୟ କ୍ୱାର୍ଟରରେ ୩୯ତମ ମିନିଟରେ ଆର୍ଜେଣ୍ଟିନା ପାଇଁ ଷଷ୍ଠ ଗୋଲ୍ ସ୍କୋର କରିଥିଲେ ୧୪ ନମ୍ବର ଜର୍ସିରେ ଥିବା ଲନସିଓ ନାରଦୋଲିଲୋ। ୪୩ ମିନିଟର ଦଳକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ତାକୁ ଗୋଲ୍ରେ ରୂପାନ୍ତରିତ କରିଥିଲେ ବାଉତିସ୍ତ କାପୁରୋ। ଏହା ଥିଲା ତାଙ୍କର ଦ୍ଵିତୀୟ ଗୋଲ୍ ସ୍କୋର। ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୭-୦ଗୋଲ୍ରେ ଆଗୁଆ ହୋଇଥିଲା ଆର୍ଜେଣ୍ଟିନା।
ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଆଉ ୭ଟି ଗୋଲ୍ ଦେଇଥିଲା। ୪୭ତମ ମିନିଟରେ ଲୁସିଓ ମେଣ୍ଡେଜ ଅଷ୍ଟମ ଗୋଲ୍ କରିଥିବା ବେଳେ ୪୮ତମ ମିନିଟରେ କ୍ରୁଗେର ଜୋକିନ ନବମ ଗୋଲ୍, ୪୯ତମ ମିନିଟରେ ଅଧିନାୟକ ଫାକୁଣ୍ଡୋ ଜାରାତେ ଦଶମ ଗୋଲ୍ ଓ ୫୨ତମ ମିନିଟର ଏକାଦଶ ଗୋଲ୍ ସ୍କୋର କରିଥିଲେ ଷ୍ଟେଲଟୋ ବୃନୋ। ଏହା ପରେ ୫୫ତମ ମିନିଟରେ ଦ୍ଵାଦଶ ଗୋଲ୍ ଦେଇଥିଲେ ତୋସକାନି ଜୋକିନ। ୫୭ତମ ମିନିଟିରେ ଲାଉତର ଡୋମେନେ ତ୍ରୟୋଦଶ ଗୋଲ ଦେଇଥିବା ବେଳେ ୫୯ତମ ମିନିଟରେ ଅଧିନାୟକ ଫାକୁଣ୍ଡୋ ଜାରାତେ ଆଉ ଏକ ଗୋଲ୍ କରିଥିଲେ।
ଅନ୍ୟପଟେ ବାରମ୍ବାର ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲେ ସୁଦ୍ଧା ଇଜିପ୍ଟ ସେଗୁଡ଼ିକୁ ଗୋଲରେ ରୂପାନ୍ତରିତ କରିପାରି ନଥିଲା। ହ୍ୟାଟ୍ରିକ ଗୋଲ କରି ଆର୍ଜେଣ୍ଟିନା ଅଧିନାୟକ ଫାକୁଣ୍ଡୋ ଜାରାତେ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
The post କଳିଙ୍ଗ ଷ୍ଟାଡିୟମରେ ଗୋଲ୍ ବର୍ଷା: ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ appeared first on Odisha Reporter.
from Odisha Reporter https://ift.tt/3r8n57P
No comments:
Post a Comment