ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଷଣ ବଦଳାଉଛି କରୋନା । କେବଳ ଅଧିକ ଜ୍ୱର କିମ୍ବା ବିନ୍ଧାଛିଟିକା ନୁହେଁ, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଆଜି ଏପରି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଏବେ ପ୍ରାୟତଃ ଅଧିକାଂଶ ସ୍କୁଲ, କଲେଜ ଖୋଲି ସାରିଲାଣି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଛନ୍ତି। ଏପରି ସ୍ଥିତିରେ ଧିରେ ଧିରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ବୁର୍ଲା ଭିମସାର ମେଡିକାଲ କଲେଜର ୫୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ମହାମାରୀ ଦ୍ୱାରା କବଳିତ ହୋଇଛନ୍ତି।
ଏହାକୁ ନେଇ ନିଜ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏପରି ଚିନ୍ତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଏଥିସହ ସେ କହିଛନ୍ତି, ସୁନ୍ଦରଗଡ ଓ ବୁର୍ଲାରେ ହୋଇଥିବା ସଂକ୍ରମଣ ସେପରି କିଛି ସାଂଘାତିକ ସ୍ଥିତିକୁ ଯାଇନି। କେବଳ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି ।
ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟଙ୍କଠାରେ ସିଭିଆରଟି କମ୍ ରହିଛି, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି । ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ହଷ୍ଟେଲରେ ସ୍ୱତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ୪ ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏହାବାଦ ସେ କହିଛନ୍ତି, ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶରେ ସଂକ୍ରମିତ ହୋଇଛନ୍ତି, ତେବେ ସ୍କୁଲ ନ ଯିବା ଭଲ । ଏଥିସହ ତୁରନ୍ତ ନିଜର ଟେଷ୍ଟ କରାଇ ନେବା ଭଲ। ଲକ୍ଷଣ କମ୍ ଥିଲେ ବି ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହାକୁ ହେୟଜ୍ଞାନ କଲେ, ପରେ ହଇରାଣରେ ପଡ଼ିବେ। ଯାହାର କିଛି ବି ଲକ୍ଷଣ ଦେଖାଦେଉଛି, ଟେଷ୍ଟ କରାଇ ନିଅନ୍ତୁ। ଟେଷ୍ଟର ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି। ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଖବର ଦିଅନ୍ତୁ। ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ସ୍ଥିତି ଉପରେ ନଜର ରଖି ରିପୋର୍ଟ ଦେଉଛନ୍ତି ।
The post ‘ହେୟଜ୍ଞାନ କରନ୍ତୁ ନାହିଁ, ଲକ୍ଷଣ ବଦଳାଉଛି କରୋନା’ appeared first on Odisha Reporter.
from Odisha Reporter https://ift.tt/3xnlZWV
No comments:
Post a Comment