ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ କରି ଟଙ୍କା ଲୁଟିବା ଘଟଣାରେ ରହିଛି ନାଇଜେରିଆ ଗ୍ୟାଙ୍ଗର ସଂପୃକ୍ତି । ନାଇଜେରିଆ ଗ୍ୟାଙ୍ଗର ସଦସ୍ୟ ବାଙ୍ଗାଲୋରରେ ରହି ଏହି ଅପରାଧ ଘଟାଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।
ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚିମେଲିନ୍ ଇମାନୁଏଲ ଆନିୱେତାଲୁକୁ ପୂର୍ବରୁ ଦିଲ୍ଲୀ ପୋଲିସ ଗିରଫ କରିସାରିଛି। ଅନଲାଇନ୍ ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ତାକୁ ଗିରଫ କରିଛି। ତେବେ ଦିଲ୍ଲୀ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ଚିମେଲିଅନ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓକାକ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ କରି ଟଙ୍କା ଲୁଟ୍ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏମାନେ ୨ ଜଣିଆ ଗ୍ୟାଙ୍ଗ ବୋଲି ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀ ପୁଲିସ୍ ଜଣଙ୍କ ଗିରଫ କରି ସାରିଥିବା ବେଳେ ଅନ୍ୟ ଜଣକ ବାଙ୍ଗାଲୋରରେ ରହି ଅପରାଧ ସଂଗଠିତ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଏବେ ଦିଲ୍ଲୀ ପୋଲିସ ଓ ବାଙ୍ଗାଲୋର ପୁଲିସ ସହ ଯୋଗାଯୋଗରେ ରହିଛି ।
ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ହ୍ୟାକରମାନେ ପ୍ରଥମେ ଅଜଣା ନମ୍ବରରୁ ହ୍ୱାଟସ୍ ଆପ୍କୁ ଲିଙ୍କ ପଠାଇଛନ୍ତି। ଉକ୍ତ ଲିଙ୍କକୁ କ୍ଲିକ୍ କରିବା ପରେ ଆପେ ଆପେ ହ୍ୱାଟସ୍ ଆପ୍ର କଣ୍ଟ୍ର୍ରୋଲ ସେମାନଙ୍କ ଅଧୀନକୁ ଚାଲି ଯାଉଛି। ଏହାପରେ ହ୍ୟାକ କରିଥିବା ବ୍ୟକ୍ତିଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ବ୍ୟକ୍ତିଙ୍କ ପାଖରୁ ଟଙ୍କା ସାହାଯ୍ୟ ମାଗୁଛନ୍ତି।
ଏହି ପ୍ରକାର କେସ୍ ନଭେମ୍ବର ୧ରେ ଦିଲ୍ଲୀରେ ହୋଇଥିଲା। ଦିଲ୍ଲୀ ପୁଲିସ୍ ଏକ ବଡ ରାକେଟର ମୁଖିଆ ନାଇଜେରିଆର ଜଣଙ୍କୁ ଗିରଫ କରିଥିଲା। ଉକ୍ତ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ବାଙ୍ଗାଲୋରରେ ଥିବା ବେଳେ ତାଙ୍କୁ ଧରିବାକୁ ଓଡ଼ିଶାର ଏକ ଟିମ୍ ବାଙ୍ଗାଲୋର ଯିବାକୁ ସଜବାଜ ହେଉଥିବା ଜଣାଯାଇଛି
ଏଥିସହ ଏ ପ୍ରକା ମାମଲା ଏବେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହ୍ୱାଟସ୍ ଆପ୍କୁ ଅଜଣା ନମ୍ବରରୁ ଆସୁଥିବା ଲିଙ୍କକୁ କ୍ଲିକ ନ କରିବାକୁ ପରାମର୍ଶ ଦେଇଛନ୍ତି ଏଡିଜି। ଏହାବାଦ ଫୋନ୍ରେ ଥିବା 2 ଷ୍ଟେପ ଭେରିଫିକେସନ ଫିଚରକୁ କଡ଼ାକଡ଼ି ଫଲୋ କରିବାକୁ ବି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଗୁରୁବାର ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା। ମନୋଜଙ୍କର ହ୍ୱାଟସ୍ଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲେ ସାଇବର ଲୁଟେରା ।
ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ୫ ଜଣ ୭ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିଲେ। ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରାଯାଇ ଏଥିରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି।
The post ‘ବାଙ୍ଗାଲୋରରେ ବସି ଓକାକ୍ ସିଇଓଙ୍କ ନାଁରେ ଟଙ୍କା ନେଇଥିଲା ହ୍ୟାକର’ appeared first on Odisha Reporter.
from Odisha Reporter https://ift.tt/30B28Yc
No comments:
Post a Comment