ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ଆଜି ଫାଇନାଲ ଫାଇଟ। ମୁହାମୁହିଁ ହେବେ ଦୁଇ ପଡୋଶୀ ରାଷ୍ଟ୍ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଦୁବାଇ ଷ୍ଟାଡିୟମରେ ହେବ ମହା ମୁକାବିଲା। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଆରମ୍ଭ ହୋଇଯିବ ଏହି ଟି-୨୦ର ମହା ଟ୍ରଫି ଟକ୍କର। କିୱି ଟିମ ଜିତିବ ନା କଙ୍ଗାରୁ ଦଳ ଛଡାଇ ନେବେ ଟାଇଟାଲ। ଏ ସବୁର ଆଜି ହୋଇଯିବ ଫାଇନାଲ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ଦୁଇ ଦଳ ପରସ୍ପର ହେବେ ମୁହାଁମୁହିଁ।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଫଟାଫଟ୍ ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇନାହାନ୍ତି। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଛି। ଦୁଇ ଟିମ୍ ଏପର୍ଯ୍ୟନ୍ତ କପ୍ ନେଇନଥିବାରୁ ଆଜି ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।
ନ୍ୟୁଜିଲାଣ୍ଡ ଏବେ ଟେଷ୍ଟ ଓ ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ୍ ପୋଜିସନରେ ରହିଛି। ଆଜି ଟାଇଟଲ୍ ଜିତିଲେ ଟି-୨୦ରେ ବି ନମ୍ବର ୱାନ୍ ସ୍ଥାନକୁ ଆସିଯିବ। ତେବେ କଙ୍ଗାରୁ ଟିମ୍ ସେମି-ଫାଇନାଲରେ ପାକିସ୍ତାନ ବିପକ୍ଷରେ ଦମଦାର ଖେଳ ପ୍ରଦର୍ଶନ ପରେ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ। ତେଣୁ ଉଭୟ ଟିମ୍ ପାଇଁ ଆଜିର ଫାଇନାଲ ମ୍ୟାଚ୍ ଏତେଟା ସହଜ ହେବନି। ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଟଫ୍ରି ହାତେଇବାକୁ ଆପ୍ରାଣ ଉଦ୍ୟମ କରିବେ।
ସୁପର-୧୨ ପର୍ଯ୍ୟୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଣ୍ଟ୍ ଲେଖାଏଁ ପାଇ ସେମିଫାଇନାଲ୍କୁ ଯାଇଥିଲେ। ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା ସହ ସମାନ ୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ବଳରେ ଅଷ୍ଟ୍ରେଲିଆ ସେମିଫାଇନାଲ୍ ଟିକେଟ ପାଇଯାଇଥିଲା।
ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଫେବରିଟ୍ ଭାରତକୁ ହରାଇବା ପରେ ଗ୍ରୁପ୍-୨ରେ ପାକିସ୍ତାନ ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲ୍ରେ କିନ୍ତୁ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ସମସ୍ତଙ୍କ ପସନ୍ଦର ଦଳ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଥିଲେ।
ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲ୍କୁ ଯିବାରେ ପ୍ରଥମ ଦଳ ହୋଇଥିଲା। ସେପଟେ ସୁପର-୧୨ରେ ଅପରାଜେୟ ଥିବା ପାକିସ୍ତାନକୁ ମାଥ୍ୟୁ ୱେଦ୍ଙ୍କ ହ୍ୟାଟ୍ରିକ୍ ଛକା ବଳରେ ବିଦାୟର ରାସ୍ତା ଦେଖାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ଫାଇନାଲ୍କୁ ଯାଇଥିଲା।
The post ଆଜି କଙ୍ଗାରୁ-କିୱି ଫାଇନାଲ ଫାଇଟ୍ appeared first on Odisha Reporter.
from Odisha Reporter https://ift.tt/3Ccg2Nd
No comments:
Post a Comment