ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲା ତଦନ୍ତର ତଦାରଖ କରିବେ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନ୍। ସୁପ୍ରିମକୋର୍ଟ ବୁଧବାର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
ପୂର୍ବତନ ବିଚାରପତିଙ୍କୁ ଏହି ମାମଲା ଯାଂଚର ତଦାରଖ କରିବା ପାଇଁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ମାମଲାର ତଦନ୍ତ ପାଇଁ ଗଠିତ ଏସ୍ଆଇଟି ଟିମ୍ରେ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି। ସାମିଲ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ଏସ୍ ବି ଶିରୋଦକର, ଦୀପିନ୍ଦର ସିଂହ ଏବଂ ପଦ୍ମଜା ଚୌହାନ ଅଛନ୍ତି।
ଲଖିମପୁର ହିଂସାକୁ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହାର ଶୁଣାଣି କରି ନିଷ୍ପକ୍ଷ ଏବଂ ସ୍ୱତନ୍ତ୍ର ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ଏହା ଜରୁରୀ ଥିଲା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟରେ ଏହି ମାମଲାର ଚାର୍ଜସିଟ୍ ଦାଖଲ ଏବଂ ଜଷ୍ଟିସ ରାକେଶ ଜୈନ୍ଙ୍କ ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ।
ଲକ୍ଷ୍ମୀପୁର ହିଂସା ମାମଲାର ଶେଷ ଶୁଣାଣିରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏହି ମାମଲାରେ ଏସଆଇଟି ତଦନ୍ତ ଉପରେ କୌଣସି ବିଶ୍ୱାସ ନାହିଁ ବୋଲି କୋର୍ଟ କହିଥିଲେ। ଏଭଳି ପରିସ୍ଥିତିରେ ତଦନ୍ତର ତଦାରଖ ପାଇଁ ହାଇକୋର୍ଟର ବିଚାରପତି ନିଯୁକ୍ତ ହେବାର ଆବଶ୍ୟକତା ରହିଛି। ଏଥିସହିତ, ଜଣାପଡୁଛି ଯେ ୨ଟି FIR ରେ ଓଭରଲିପ୍ କରି ଏକ ନିର୍ଦ୍ଦିଷ୍ଟ ଅଭିଯୁକ୍ତକୁ ଲାଭ ଦିଆଯାଉଛି। ତାଙ୍କୁ ବଞ୍ଚାଇବା ପାଇଁ ପ୍ରମାଣ ଯୋଗଡା କରାଯାଉଛି ବୋଲି କୋର୍ଟ କହିଥିଲେ।
ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ।
ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ହେଲେ ସୁପ୍ରିମକୋର୍ଟ ପୁଲିସ୍ କରୁଥିବା ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି।
The post ଲଖିମପୁର ହିଂସା: ତଦନ୍ତର ତଦାରଖ କରିବେ ଜଷ୍ଟିସ୍ ରାକେଶ କୁମାର ଜୈନ୍ appeared first on Odisha Reporter.
from Odisha Reporter https://ift.tt/3HyoScm
No comments:
Post a Comment