ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାରିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ପ୍ରାକାସାମ, ନେଲୋର, ଚିତ୍ତୋର ଏବଂ କାଡାପା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଇଏମଡିର ସୂଚନା ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ସାଇକ୍ଲୋନିକ୍ ସିଷ୍ଟମର ରୂପ ନେଇ ପାରେ। ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପରେ ପଡ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ର ସାଇକ୍ଲୋନିକ୍ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭% ପର୍ଯ୍ୟନ୍ତ ସଙ୍କେତ ରହିଛି। ଏହା ଯଦି ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସେପଟେ ସମ୍ଭାବ୍ୟ ଲଘୁଚାପ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଓଡ଼ିଶା SRC ଚିଠି ଲେଖିଛନ୍ତି। ଚିଠିରେ ଏସଆରସି କହିଛନ୍ତି ଯେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୨ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ବର୍ଷା ହେବା ସମ୍ଭାବନା ରହିଛି ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ। ଏବେ ଧାନ ପାଚି ଅମଳ ସମୟ ହୋଇଥିବାରୁ ଏହି ବର୍ଷା ଚାଷୀ ଓ ଚାଷ କାର୍ଯ୍ୟ ପାଇଁ ଘାତକ ହେବ ବୋଲି ଆଶଙ୍କା କରାଯାଉଛି।
The post ଆଜି ସୃଷ୍ଟି ହୋଇପାରେ ଲଘୁଚାପ, ଘନଉଛି ବାତ୍ୟା ବିପଦ appeared first on Odisha Reporter.
from Odisha Reporter https://ift.tt/3o4z1FC
No comments:
Post a Comment