ପୋଲ ନାହିଁ, କାଠଗଣ୍ଡି ଭରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ପୋଲ ନାହିଁ, କାଠଗଣ୍ଡି ଭରସା

ମୋହନା(ମିହିର ଜତି):  ଗଜପତି ଜିଲ୍ଲା ମୋହନା ବ୍ଳକ୍‌ ରୁରୁଝୋଳି ପଞ୍ଚାୟତରେ ରହିଛି ବେତଗଣ୍ଡା, ବାମଦେଇପଦା ଓ ପଣସଡ଼ିହ ଗାଁ। ଏହି ତିନୋଟି ଗାଁରେ ୧୩୫ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି। ଏହି ତିନି ଖଣ୍ଡ ଗାଁଠୁ କୁଟିପଦର ଆର୍‌ଡି ମୁଖ୍ୟ ରାସ୍ତା ୩ କିଲୋମିଟର। ହେଲେ ଏହି ତିନୋଟି ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ।

ଜଙ୍ଗଲ, ପାହାଡ଼ ଦେଇ ଲୋକମାନେ କୁଟିପଦର ଥିବା ମୁଖ୍ୟ ରାସ୍ତାକୁ ଯାଇଥା’ନ୍ତି। ଏହି ମୁଖ୍ୟ ରାସ୍ତାକୁ ଯିବା ପୂର୍ବରୁ ବାଟରେ ପଡ଼ିଥାଏ ହରଭଙ୍ଗି ନଦୀ। ଏହି ନଦୀରେ ପୋଲନାହିଁ।  ନଦୀର ଏପଟୁ ସେପଟ କାଠ ଗଣ୍ଡି  ବାନ୍ଧି ତାର ଉପରେ ଚଢ଼ି ନଦୀ ପାର ହୋଇଥା’ନ୍ତି। ସେଥିପାଇଁ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଇଥା’ନ୍ତି। ସ୍କୁଲ୍‌, କଲେଜ୍‌, ମେଡିକାଲ୍‌, ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକ୍‌ କାର୍ଯ୍ୟାଳୟ ସମେତ ଦୈନନ୍ଦିନ ହାଟ ବଜାର- ସମସ୍ତ କ୍ଷେତ୍ରରେ ବିପଜ୍ଜନକ ଅବସ୍ଥାରେ ଏହି ନଦୀ ପାର ହୋଇ ଯିବା ଆସିବା କରିଥା’ନ୍ତି ଗ୍ରାମବାସୀ।

କାଠଗଣ୍ଡି ସାହାଯ୍ୟରେ ନଦୀ ପାର ହେଉଛନ୍ତି ଲୋକେ

ଖରା ଓ ଶୀତ ଦିନ କଥା ଅଲଗା। କିନ୍ତୁ ବର୍ଷା ଦିନେ ଏ ସବୁ ଗାଁର ଲୋକେ ଭାରି ହଇରାଣ ହୁଅନ୍ତି। ବର୍ଷା ଦିନରେ ନଦୀରେ ବଢ଼ି ଆସିଲେ, ଏହି ତିନି ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଯାହାଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଇଥା’ନ୍ତି। ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳ, ବିଧାୟକ ଓ ବ୍ରହ୍ମପୁର ସାଂସଦଙ୍କୁ ବହୁବାର ଅବଗତ କରାଇଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ଯାଏଁ ଗାଁକୁ ରାସ୍ତା କି ପୋଲ ନିର୍ମାଣ ହୋଇପାରିନାହିଁ। ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଆର୍‌ଡି ଅଫିସ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଜଙ୍ଗଲ ପାହାଡ଼ ଓ ନାଳ ଦେଇ ଲୋକମାନେ ଯାଉଛନ୍ତି

ଏହି ଗାଁରେ ପିଲାମାନଙ୍କ ପାଠ ପଢ଼ିବା ପାଇଁ ସ୍କୁଲ ମଧ୍ୟ ନାହିଁ। ବେତଗଣ୍ଡାରେ ଗାଁରେ ଏକ ପ୍ରାଇମେରୀ ସ୍କୁଲ ରହିଛି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି।  ପଞ୍ଚମ ଶ୍ରେଣୀ ପରଠୁ ପିଲାମାନେ ୩୦ କିମି ବାଟ ମୋହନାକୁ ପାଠ ପଢ଼ିବାକୁ ଆସନ୍ତି। ଗାଁ ଲୋକମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା ନାହିଁ। କାହାର ଦେହ ଖରାପ ହେଲେ ସେମାନେ ମୋହନା ଆସନ୍ତି।

ବେତଗଣ୍ଡାର ଆଦିବାସୀ ନେତା ପ୍ରଶାନ୍ତ ମାଝୀ କହିଛନ୍ତି, ରାସ୍ତା ନଥିବାରୁ କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଚିକିତ୍ସା ଅଭାବରୁ କେତେ ଲୋକଙ୍କ ମୃତ୍ୟୁ ଘଟିଥାଏ। ହରଭଙ୍ଗି ନଦୀରେ ପୋଲ ନଥିବାରୁ  ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧା ବହୁ କଷ୍ଟରେ ନଦୀ ପାର ହୁଅନ୍ତି। ନଦୀରେ ପୋଲ ନଥିବାରୁ କାଠ ଗଣ୍ଡି ଆମର ସାହା ଭରସା।

ଗ୍ରାମବାସୀଙ୍କ ଯିବାଆସିବା ପାଇଁ ରାସ୍ତା ନାହିଁ

ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ପାତ୍ର କହିଛନ୍ତି, ବିଜୁ ସେତୁ ଯୋଜନାରେ ନଦୀରେ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଅନୁମୋଦନ ମିଳିଲେ, ପୋଲ ନିର୍ମାଣ କରାଯିବ।

ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ଅସୁବିଧା ଭୋଗୁ ଥିବା ବେଳେ ପ୍ରଶାସନ କେବେ ଏଠାରେ ପୋଲଟିଏ ନିର୍ମାଣ କରିବ, ତାହା ଦେଖିବା ବାକି ରହିଲା।

 

The post ପୋଲ ନାହିଁ, କାଠଗଣ୍ଡି ଭରସା appeared first on Odisha Reporter.



from Odisha Reporter https://ift.tt/3qKLiRJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages