ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ହୈଦରପୋରା ଏନକାଉଣ୍ଟରକୁ ନେଇ ବିବାଦ ଦେଖାଯାଇଛି। ଏହି ଗୁଳକାଣ୍ଡରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିବାର ଲୋକ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବୁଧବାର ଦୁଇ ବ୍ୟକ୍ତିଙ୍କ ପରିବାର ଲୋକ ପ୍ରେସ ଏନକ୍ଲେଭ ନିକଟରେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ବଳପୂର୍ବକ ହଟାଇ ଦେଇଛି। ଏଥିସହ ସେମାନଙ୍କୁ ଅଟକ ରଖିଥିଲା।
ମୃତ ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଲଙ୍କ ପରିବାର ବର୍ଗ ବିଭିନ୍ନ ସାମାଜିକ କର୍ମୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ଶବ ଫେରାଇବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ପ୍ରଥମେ ସମସ୍ତ ବିକ୍ଷୋଭକାରୀଙ୍କୁ ପୁଲିସ୍ ଅଟକ ରଖିଥିଲା। ଏହାପରେ ସେମାନଙ୍କୁ ଘରକୁ ପଠାଇ ଦେଇଥିଲା। ଜମ୍ମୁ-କଶ୍ମୀରରେ ପାରଦ ଶୂନ ତଳକୁ ଖସୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ପୁଲିସ୍ ସଫେଇ ଦେଇଛି।
ସୋମବାର ହୈଦରପୋରାରେ ଗୁଳିକାଣ୍ଡ ହୋଇଥିଲା। ଗୁଳିମାଡ଼ରେ ଜଣେ ପାକିସ୍ତାନ ଆତଙ୍କୀ ଓ ତା’ର ସହଯୋଗୀ ମହମ୍ମଦ ଆମୀର ବ୍ୟତୀତ ଦୁଇ ସାଧାରଣ ନାଗରିକ ଅଲତାଫ ଓ ମୁଦ୍ଦାସିର ପ୍ରାଣ ହରାଇଥିଲେ। ସେମାନେ କୁଆଡ଼େ ବେଆଇନ କଲ ସେଣ୍ଟର ଚଳାଇବା ଓ ଆତଙ୍କୀଙ୍କୁ ରହିବା ପାଇଁ ସୁବିଧା ଯୋଗାଇ ଦେଉଥିବା ପୁଲିସ୍ ଦାବି କରିଛି। ତେବେ ପରିବାର ଲୋକ ଏହାକୁ ଗ୍ରହଣ କରିନାହାନ୍ତି। ଅଲତାଫ ଓ ମୁଦ୍ଦାସିରଙ୍କ ସମ୍ପର୍କ ଆତଙ୍କବାଦ ସହ ନଥିବା ପରିବାର ଲୋକ କହିଛନ୍ତି।
ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ୪ ଜଣଙ୍କ ଶବକୁ କଶ୍ମୀରର କୁପୱାଡାରେ ଥିବା ହାଣ୍ଡୱାରାରେ ପୋତି ଦିଆଯାଇଛି। ପରିବାର ଲୋକ ଅଲତାଫ ଓ ମୁଦ୍ଦାସିରଙ୍କ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲେ, ତଥାପି ପ୍ରଶାସନ ଏଥିପାଇଁ ଅନୁମତି ନ ଦେବାରୁ ବିବାଦ ଦେଖାଯାଇଛି।
The post ଶ୍ରୀନଗର ଏନକାଉଣ୍ଟର: ୨ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ତମ୍ବିତୋଫାନ appeared first on Odisha Reporter.
from Odisha Reporter https://ift.tt/30ybu71
No comments:
Post a Comment