ବରେଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ପୁଣି ନିରାଶ ହୋଇଛନ୍ତି। ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସୋମବାର ଜିଲ୍ଲା ଓ ସେସନ୍ସ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।
ପୁଲିସ୍ ପୂରା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କ ନାଁ ଉଲ୍ଲେଖ କରିଛି। ତେଣୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାନ୍ତି। ସେହିପରି ତାଙ୍କ ୨ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଅକ୍ଟୋବର ୩ରେ ଲଖିମପୁର ଖେରିରେ ହିଂସା ଘଟି ୮ ଜଣଙ୍କ ଜୀବନ ଯାଇଥିଲା।
ଏଠାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଗୋଟିଏ ଗାଡ଼ି ସେମାନଙ୍କ ଉପରେ ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣଙ୍କ ଜୀବନ ଯାଇଥିଲା। ଯେଉଁ ଗାଡ଼ିଟି ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା, ସେଥିରେ ଆଶିଷ ମିଶ୍ରା ଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିପାଇଁ ପୁଲିସ୍ ତାଙ୍କୁ ଗିରଫ କରିଛି।
ଏବେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବାରୁ ସେ ପୂର୍ବଭଳି ଜେଲରେ ରହିବେ। ସ୍ୱତନ୍ତ୍ର ପ୍ରସ୍ୟୁକେସନ ଅଫିସର ଏସପି ଯାଦବ କହିଛନ୍ତି, ତଦନ୍ତ ରିପୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କ ନାଁ ରହିଛି। ଏସ୍ଆଇଟି ତାଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାକୁ ସକ୍ଷମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କର ଦୁଇ ସହଯୋଗୀ ଲଭ କୁଶ ରାଣା ଓ ଆଶିଷ ପାଣ୍ଡେ ମଧ୍ୟ ଜାମିନ ଆବେଦନ କରିଥିଲେ। ଏହାକୁ ବି ଅଗ୍ରାହ୍ୟ କରାଯାଇଛି ବୋଲି ସେ କହିଛନ୍ତି।
ଜିଲ୍ଲା ସରକାରୀ ଓକିଲ ଅରବିନ୍ଦ ତ୍ରିପାଠୀ କହିଛନ୍ତି, ଆଶିଷ ହିଂସା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ୬୦ରୁ ଅଧିକ ଚାଷୀ କହିବା ସହ ଏସ୍ଆଇଟି ମଧ୍ୟ ଏସମ୍ପର୍କରେ ପ୍ରମାଣ ପାଇଛି। ଚାଷୀଙ୍କ ଉପରେ ମଡ଼ାଇ ଦିଆଯାଇଥିବା ମହିନ୍ଦ୍ରା ଥରର ଡ୍ରାଇଭର ପାଖ ସିଟରେ ଆଶିଷ ଘଟଣା ଦିନ ବସିଥିଲେ।
ତାଙ୍କ ଉପସ୍ଥିତି ସମ୍ପର୍କରେ ଏସ୍ଆଇଟି ମଧ୍ୟ ପରବର୍ତ୍ତୀ ସମୟରେ ଫୋନ ଲୋକେସନକୁ ଟ୍ରାକ କରି ନିଶ୍ଚିତ କରିଛି। ସେ ଥରରୁ ବାହାରିବା ପରେ ଗୋଟିଏ କ୍ଷେତ ଆଡ଼େ ଦୌଡ଼ି ଥିଲେ। ଏହି ସମୟରେ ସେ ଚାଷୀଙ୍କ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ। ତାଙ୍କ ବନ୍ଧକରୁ ଗୁଳି ଚାଲିଥିବା ଫରେନ୍ସିକ ଟେଷ୍ଟରୁ ମଧ୍ୟ ସ୍ପଷ୍ଟ ହୋଇଛି।
ଆଶିଷଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ସେହିପରି ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।
The post ଖେରି ହିଂସା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ, ମିଳିଲାନି ଜାମିନ appeared first on Odisha Reporter.
from Odisha Reporter https://ift.tt/30ySaqj
No comments:
Post a Comment