ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ବାବୁଙ୍କର ରହିଛି ଆଖି ଖୋସି ଦେବା ପରି ସମ୍ପତ୍ତି। କୁବେର ଭଣ୍ଡାର ପରି ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି OPHWC ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । କେଉଁଠି ପୂରା ଆପାଟମେଣ୍ଟର ମାଲିକ ତ କେଉଁଠି ରହିଛି ସୁଉଚ୍ଚ ଅଟ୍ଟାଳିକା। ବିଭିନ୍ନ ଜାଗାରେ ଅଛି ମାଳ, ମାଳ ବିଲ୍ଡିଂ । ରାଜଧାନୀ ଭୁବନେଶ୍ୱରରେ ଖାଲି ୪ଟି ଜାଗାରେ ରହିଛି ଆଖି ପାଉ ନ ଥିବା ପରି ବିଲ୍ଡିଂ । ଆଜି ଏକାଥରେ ପ୍ରତାପଙ୍କର ୧୨ଟି ଜାଗାରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।
ବାବୁଙ୍କ ପାଖରେ ସମ୍ପତ୍ତି ଏତେ ପରିମାଣର ଅଛି ଯେ, ଭିଜିଲାନ୍ସକୁ ଦେଖି ବାହାରକୁ ଫୋପାଡ଼ି ଦେଇଛନ୍ତି ପୁଳା ପୁଳା ଟଙ୍କା। IRC ଭିଲେଜର ୪୧୬ ନମ୍ବର ଘର ରେଡ୍ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ବାବୁ ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।
ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍ ଡେପୁଟି ମ୍ୟାନେଜରଙ୍କ ଘରେ ଆଜି ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ପଡ଼ିଥିବା ବେଳେ ତାଙ୍କ ସମ୍ପତ୍ତି ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି।
ବାବୁଙ୍କର ଭୁବନେଶ୍ୱର ଜୟଦେବବିହାର ସ୍ଥିତ ୬ ତାଲା ବିଶିଷ୍ଟ ଘରେ, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବବିହାର ନରେନ୍ଦ୍ର ଭିଲ୍ଲାରେ ରେଡ୍ ଚାଲିଛି। ଏହାବାଦ ଭଦ୍ରକ ବାଲିସାହିର ୩ ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ OPHWC କାର୍ଯ୍ୟାଳୟରେ ରେଡ୍ ଚାଲିଛି।
ଏହାପରେ ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଛି। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।
ବାବୁ ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା ସିଭିଲ ପଢ଼ିଥିଲେ । ୧୯୮୮ ମସିହାରେ ସିଭିଲ ଜୁନିଅର ଇଞ୍ଜି଼ନିଅର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ। ୧୯୯୫ ପର୍ଯ୍ୟନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର, କଟକରେ କାମ କରିଛନ୍ତି। ଏହାପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କଲେ।
ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ ବିଲ୍ଡିଂ କନଷ୍ଟ୍ରକସନ୍ କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ । ହେଲେ ସେ ଏତେ ଟଙ୍କା କିପରି ଠୁଳ କଲେ, ଏଥିରେ ଆଉ କେଉଁ କେଉଁ ଅଧିକାରୀ ସାମିଲ ଅଛନ୍ତି ସେ ନେଇ କିଛି ସୂଚନା ମିଳିନି। ନିହାତି ଏଥିରେ ଏକ ଲମ୍ବା ଚେନ୍ ଥିବା ସନ୍ଦେହ ସୃଷ୍ଟି ହେଉଛି। ଏହାବାଦ ବାବୁ ଆଉ କେଉଁଠି କେତେ ସମ୍ପତ୍ତି ଠୁଳ କରିଛନ୍ତି, କେତେ ଥର ବିଦେଶ ଗସ୍ତ କରିଛନ୍ତି ସେ ନେଇ ହେଉଛି ଖୋଳତାଡ଼।
The post କୁବେର ଅଧିକାରୀଙ୍କର ଅମାପ ସମ୍ପତ୍ତି, ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଲେ ୩୮ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/3qlnjrK
No comments:
Post a Comment