ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହତ୍ୟାକାଣ୍ଡ ସହ ମୋର କୌଣସି ସମ୍ପୃକ୍ତି ନାହିଁ। ରାୟପୁରସ୍ଥିତ ବାସଭବନରେ ଭେଟଘାଟ ସମ୍ପୂର୍ଣ୍ଣ କପୋଳକଳ୍ପିତ। ଏହାକୁ ଆଧାର କରି ଜଣଙ୍କ ଇସ୍ତଫା ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ।” ମମିତା ହତ୍ୟା ଘଟଣା ପରଠୁ ଏକ ପ୍ରକାର ଅନ୍ତର୍ଦ୍ଧାନ ହୋଇ ଯାଇଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ଗତକାଲି ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏପରି କହିଛନ୍ତି।
ମମିତା ହତ୍ୟା ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୋହରାଉଥିବା ବେଳେ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ସତ୍ୟ ପ୍ରକାଶ ନାୟକ। ଏଥିସହ କହିଛନ୍ତି, ମନ୍ତ୍ରୀ ଗଣମାଧ୍ୟମରେ ହାଲୁକା ବିବୃତି ଦେଇ ଖସି ପାରିବେ ନାହିଁ। ଏହି ଘଟଣାରେ ସଂପୃକ୍ତି ଅଛି କି ନାହିଁ ହଁ, ନାଁରେ ଉତ୍ତର ଦିଅନ୍ତୁ ଦିବ୍ୟଶଙ୍କର।
ରାୟପୁରସ୍ଥିତ ବାସଭବନରେ ମନ୍ତ୍ରୀଙ୍କ ସହ ମମିତା ମେହେର ଓ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମଧ୍ୟରେ ଭେଟଘାଟ ହୋଇଥିବା ଅଭିଯୋଗ ଉଠୁଛି। କଂଗ୍ରେସ ନେତା ନରସିଂହ ମିଶ୍ର, ସାଲୁଜା ସିଂ, ବିଜେପିର ବିଜୟ ମହାପାତ୍ର ମଧ୍ୟ ଏହି ଅଭିଯୋଗ ଉଠାଇଛନ୍ତି। ଏହି ଅଭିଯୋଗ ଯଦି ଭିତ୍ତିହୀନ, କପୋଳକଳ୍ପିତ ତାହା ହେଲେ ଉକ୍ତ ୩ ଜଣଙ୍କ ଫୋନ୍ର ସିଡିଆର୍ କାହିଁକି ଯାଞ୍ଚ ହେଉନି।
ଏଥିସହ ସେ କହିଛନ୍ତି, ବିଗତ ୨୦ ଦିନ ହେଲା ଗଣମାଧ୍ୟମ ଶିରୋନାମାରୁ ହଟୁ ନାହିଁ ମମିତା ମେହର ହତ୍ୟା ଘଟଣା। ମମିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏଥିରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।
ବିଜେଡି ପକ୍ଷରୁ କୁହାଗଲା, ପ୍ରମାଣ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷେ, ମନ୍ତ୍ରୀ ଗଣମାଧ୍ୟମକୁ ମାମଲାର ଡର ଦେଖାଉଛନ୍ତି। ଯଦି ମନ୍ତ୍ରୀଙ୍କଠାରେ ଫର୍ଜିର ନୁହେଁ, ଫୌଜିର ରକ୍ତ ଅଛି, ଇସ୍ତଫା ଦିଅନ୍ତୁ। ମନ୍ତ୍ରୀ ସେଠାକୁ ଯାଇନାହାନ୍ତି ବୋଲି ପୁଲିସ୍ ମଧ୍ୟ ସ୍ପଷ୍ଟ କରୁନି।
ଅପରପକ୍ଷେ, ମୁଖ୍ୟମନ୍ତ୍ରୀ କହିଲେ, ଆଇନ ତା’ ବାଟରେ ଯିବ। ଅଦାଲତକୁ ଯାଆନ୍ତୁ। ଅଦାଲତ ଯଦି ତଦନ୍ତ କରିବ ପୁଲିସ୍ କ’ଣ ମନ୍ତ୍ରୀଙ୍କୁ ସୁରକ୍ଷା ଦେବ। ପ୍ରମାଣ ଯେଉଁ ପୁଲିସ୍ ଆଣିବ, ଇଏ ତାଙ୍କ ମନ୍ତ୍ରୀ। ତେଣୁ ତଦନ୍ତ କିପରି ସମ୍ଭବ ବୋଲି ପ୍ରଶ୍ନ ପଚାରିଛନ୍ତି ସତ୍ୟ ନାୟକ।
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ସଂପର୍କ ଅଛି ନା ନାହିଁ ସେ ନେଇ ମନ୍ତ୍ରୀ ସ୍ପଷ୍ଟ କରୁ ନାହାନ୍ତି। ପ୍ରମାଣ ନଷ୍ଟ କରିବାରେ, ଖସିଯିବାରେ ମୁଖ୍ୟ ଅଭିଯୁକ୍ତକୁ ସାହାଯ୍ୟ କରିବାରେ ପୁଲିସ୍ର ଭୂମିକା ସ୍ପଷ୍ଟ ଜଣାପଡ଼ୁଛି। ଜଣେ ଦୁର୍ବଳ ଓ ଅପରାଧି ମାନସିକତାର ବ୍ୟକ୍ତି ଡରାଇକି ଆକ୍ରମଣ କରେ। ମନ୍ତ୍ରୀ ଏବେ ବିପଦରେ ପଡ଼ିବାରୁ ଫୌଜିର ନାମ ଧରୁଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ଉକ୍ତ ଅନୁଷ୍ଠାନର ଗେଷ୍ଟ-କୋଅଡିନେଟର ଥିଲେ। ପ୍ରତି ମାସରେ ସେଠାକୁ ଯାଉଥିଲେ ବୋଲି ଖୋଦ ସଂସ୍ଥାର ମୁଖ୍ୟ କହୁଥିଲେ। ଏପରିକି ପ୍ରତାପ ଜେନା ବି ଏ ବିଷୟରେ କହିଛନ୍ତି, ମନ୍ତ୍ରୀ ଦିବ୍ୟଶଙ୍କର ଏ କଲେଜକୁ ଆସିବାକୁ ବହୁ ଥର ଅନୁରୋଧ କରିଛନ୍ତି। ତା ପରେ ମୁଁ ଆସିଲି। କଳାହାଣ୍ଡିରେ ବହୁ ସରକାରୀ ସ୍କୁଲ, କଲେଜ ଅଛି। ହେଲେ ଗୋଟିଏ ଘରୋଇ ସ୍କୁଲ ପାଇଁ କାହିଁକି ଏତେ ଦରଦ ଦେଖାଉଥିଲେ ମନ୍ତ୍ରୀ?
ଯଦି ଦିବ୍ୟଶଙ୍କର ଲୋକଙ୍କ ସେବା ପାଇଁ ଆସିଛନ୍ତି, ତାହା ହେଲେ ଟିକେଟ ପାଇବା ପୂର୍ବରୁ କାହିଁକି ସେବା କରୁ ନ ଥିଲେ। ଛତିଶଗଡ଼ରେ ବାୟୁସେନାରେ ଥିବା ବେଳେ ଟିକେଟ ପାଇବା ପରେ ଆସିଛନ୍ତି। ୨୦୧୪ରେ ତାଙ୍କ ସମ୍ପତ୍ତି ଥିଲା ୨ କୋଟି। ୨୦୧୯ରେ ସମ୍ପତ୍ତିର ମୂଲ୍ୟ ୮ କୋଟି। କଳାହାଣ୍ଡିବାସୀଙ୍କ ସେବା କରି ସେ ୮ କୋଟି ରୋଜଗାର କରିଦେଲେ। ସେହି ସମୟରେ ଜୁନାଗଡ଼ବାସୀଙ୍କ ମୁଣ୍ଡ ପିଛା ରୋଜଗାର କେତେ ବଢ଼ିଛି? ମାଣିକେଶ୍ୱରୀଙ୍କ ନାଁ ନେଇ ଗୁଡ଼ାଏ ବାହାନା କରୁଛନ୍ତି ମନ୍ତ୍ରୀ।
ମନ୍ତ୍ରୀ ମହାଲିଙ୍ଗ ଶିକ୍ଷା ପରିସରକୁ ବାରମ୍ବାର ଯାଇଛନ୍ତି। ସେଠାରେ ରାତିରେ ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜୁନାଗଡ଼ର ଜଙ୍ଗଲ ଜମି ଅଧିକାର କରି ଜବରଦସ୍ତି ଫାର୍ମ ହାଉସ କରିଛି, କାରଣ ତାର ମନ୍ତ୍ରୀ ସହ ସମ୍ପର୍କ ଥିଲା। ଯିଏ ଜୁନାଗଡ଼ ଜମି ଜବରଦଖଲ କରୁଛି, ତାକୁ ପାଖରେ ବସାଉଥିଲେ କିପରି?
୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରା ନ ଗଲେ ୧୨ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ସତ୍ୟ ନାୟକ।
ଯେଉଁ ମୁଖ୍ୟମନ୍ତ୍ରୀ ଦିନେ କହିଥିଲେ, ଛାଇର ଦୁର୍ନୀତି ଦେଖିଲେ ବି ବରଦାସ୍ତ କରିବିନି,ଏପରିକି ୩ ମନ୍ତ୍ରୀଙ୍କୁ ଦଳରୁ ବହିଷ୍କାର ମଧ୍ୟ କରି ଦେଇଥିଲେ, ସେ ଆଜି କ’ଣ ପାଇଁ ନୀରବ ବସିଛନ୍ତି, କ’ଣ ଘଟୁଛି ତାଙ୍କୁ କ’ଣ ଦେଖାଯାଉନି ବୋଲି ପଚାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଯଜ୍ଞେଶ୍ୱର ବାବୁ।
The post ‘ମନ୍ତ୍ରୀଙ୍କଠାରେ ଯଦି ଫର୍ଜିର ନୁହେଁ, ଫୌଜିର ରକ୍ତ ଅଛି, ଇସ୍ତଫା ଦିଅନ୍ତୁ’ appeared first on Odisha Reporter.
from Odisha Reporter https://ift.tt/2ZUFM3A
No comments:
Post a Comment