ମୁମ୍ବାଇ: ବିବାଦ ଓ କଙ୍ଗନା ରାଣାୱତ ପରସ୍ପରର ପରିପୂରକ । କେହି କାହାକୁ ଛାଡ଼ି ବେଶି ଦିନ ରହିପାରନ୍ତି ନାହିଁ। ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଙ୍ଗନା ଆପେ ଆପେ କଣ୍ଟ୍ରୋଭର୍ସି ଭିତରକୁ ଟାଣି ହୋଇ ଯାଇଥିଲେ। ଦେଶକୁ ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ଭିକ ଥିଲା ବୋଲି ଲଜ୍ଜାଜନକ ବୟାନ ଦେଇ ସମଗ୍ର ଦେଶରେ ଝଡ଼ ସୃଷ୍ଟି କରିଥିଲେ ବଲିଉଡର ପଙ୍ଗା କୁଇନ୍। ଏହି ବିବାଦ ନ ଥମୁଣୁ ଏଥର କଙ୍ଗନାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।
ଇନଷ୍ଟାରେ ଏକ ଆର୍ଟିକିଲ ଶେଆର କରି କଙ୍ଗନା ଲେଖିଛନ୍ତି, ଆପଣ ଗାନ୍ଧୀଙ୍କ ଫ୍ୟାନ୍ ହୋଇପାରିବେ ନଚେତ ନେତାଜୀଙ୍କ ସମର୍ଥକ । ଆପଣ ୨ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ। ଏହାର ନିଷ୍ପତ୍ତି ଆପଣ ନିଜେ ହିଁ ନେବେ। ଏହାବାଦ ସେ ଲେଖିଛନ୍ତି, ଅନ୍ୟ ଏକ ଗାଲ ଦେଖାଇଲେ ଭିକ ମିଳେ, ସ୍ୱାଧୀନତା ନୁହେଁ।
ଏହାବାଦ କଙ୍ଗନା କହିଛନ୍ତି, ସ୍ୱତନ୍ତ୍ରତା ସୈନିକଙ୍କୁ ଏପରି ଲୋକ ଇଂରେଜଙ୍କ ହାବୁଡ଼ରେ ଛାଡ଼ି ଦେଇଥିଲେ, ଯେଉଁମାନଙ୍କର ଲଢ଼ିବାର କ୍ଷମତା ନ ଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ କ୍ଷମତା ପାଇଁ ଭୋକ ଥିଲା। ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଆମକୁ ଶିଖାଇଥିଲେ, ଯଦି ଜଣେ ଗୋଟିଏ ଚାପୁଡ଼ା ମାରୁଛି, ତା’ ହେଲେ ଆଉ ଗୋଟିଏ ଗାଲ ବି ଦେଖାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସ୍ୱାଧୀନତା ମିଳିବ । ହେଲେ ଏପରି କରିବା ଦ୍ୱାରା କେବେବି ସ୍ୱାଧୀନତା ମିଳି ନ ଥାଏ। ଏପରି ଦ୍ୱାରା କେବଳ ଭିକ ହିଁ ମିଳିଥାଏ। ତେଣୁ ନିଜ ଜନନାୟକଙ୍କୁ ବୁଦ୍ଧିମାନର ସହ ବାଛନ୍ତୁ।
ପଦ୍ମଶ୍ରୀ ସମ୍ମାନିତ କଙ୍ଗନା କହିଛନ୍ତି, ଗାନ୍ଧୀଜୀ କେବେ ବି ଭଗତ ସିହ କିମ୍ବା ସୁବାସ ବୋଷଙ୍କ ସମର୍ଥନ କରି ନ ଥିଲେ। ବରଂ ସେ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହୋଇଯାଉ। ତେଣୁ ଆପଣ କାହାକୁ ଚାହୁଁଛନ୍ତି, ତାହା ଆପଣ ସ୍ଥିର କରନ୍ତୁ।
କିଛି ଦିନ ପୂର୍ବେ କଙ୍ଗନା ଦେଇଥିବା ଏକ ବୟାନକୁ ନେଇ ସମଗ୍ର ଦେଶରେ ଝଡ଼ ସୃଷ୍ଟି ହୋଇଥିଲା। କଙ୍ଗନା କହିଥିଲେ, ଭାରତକୁ ସ୍ୱାଧୀନତା ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ୨୦୧୪ ମସିହାରେ ମିଳିଛି। ୧୯୪୭ ମସିହାରେ ଦେଶକୁ ଯେଉଁ ସ୍ୱତନ୍ତ୍ରତା ମିଳିଥିଲା ତାହା ଭିକ ଥିଲା। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବହୁ ରାଜନୈତିକ ଦଳ ତଥା ସାଧାରଣ ଲୋକ ତାଙ୍କୁ ଟାର୍ଗେଟ କରିଥିଲେ। ଏପରିକି ପଦ୍ମଶ୍ରୀ ଫେରାଇ ଦେବାକୁ ମଧ୍ୟ କହିଥିଲେ।
ହେଲେ କଙ୍ଗନା ନିଜ ବୟାନ ଫେରାଇବା ମୁଡରେ ନାହାନ୍ତି। ଏପରିକି ଇନଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, “ମୁଁ ପୂରା ସଫା ସଫା କହିଛି, ୧୮୫୭ ମସିହାରେ ହୋଇଥିବା କ୍ରାନ୍ତି ହେଉଛି ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମ । ଯାହାକୁ କି ଚାପି ଦିଆଯାଇଥିଲା। ଏହାର ପରିଣାମ ସ୍ୱରୂପ, ଇଂରେଜଙ୍କ ଅତ୍ୟାଚାର ଓ କ୍ରୂରତା ବଢ଼ି ଚାଲିଲା। ପ୍ରାୟ ଏକ ଶତାଦ୍ଦି ପରେ ଗାନ୍ଧିଜୀଙ୍କ ଭିକ ଥାଳିରୁ ଆମକୁ ସ୍ୱାଧୀନତା ମିଳିଛି।”
The post ଏଥର କଙ୍ଗନାଙ୍କ ଟାର୍ଗେଟରେ ଗାନ୍ଧିଜୀ, କହିଲେ- ଗାଲ ଦେଖାଇଲେ ଭିକ ମିଳେ, ସ୍ୱାଧୀନତା ନୁହେଁ appeared first on Odisha Reporter.
from Odisha Reporter https://ift.tt/3qLJxUm
No comments:
Post a Comment