କଟକ(ଓଡ଼ିଶା ରିପୋର୍ଟର): ସ୍କୁଲରୁ ଫେରିବା ପରେ ଘରେ ବାହାନା କରି ଚାଲିଗଲେ ନଦୀ ଘାଟକୁ । ସେଠାରେ ଖେଳଖେଳରେ ପାଣିରେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ଏ ଯାବତ ଜଣଙ୍କ ମୃତଦେହ ମିଳିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଏପରି ହୃଦୟ ବିଦାରକ ଘଟଣା କଟକ ମହାନଦୀ ଭଦିମୂଳ ଘାଟରେ ଘଟିଛି । ମୃତକ ହେଲେ କ୍ଷେତ୍ରବାସୀ ବେହେରା ।
ସୂଚନାଯୋଗ୍ୟ, ମହାନଦୀରେ ବୁଡ଼ି ଯାଇଥିବା ସମସ୍ତ ୪ ଛାତ୍ର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳର । ସେମାନେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବୟସ ୧୩ରୁ ୧୪ ମଧ୍ୟରେ ହେବ । ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ଏହାପରେ ସାଙ୍ଗ ପାଖରୁ ଆସୁଛି କହି ସବୁ ସାଙ୍ଗ ଡକାଡକି ହୋଇ ଭଦିମୂଳ ଘାଟକୁ ଚାଲିଗଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ ।
ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ନଦୀରେ ଖୋଜାଖୋଜି କରିବାରୁ କ୍ଷେତ୍ରବାସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ୩ ଜଣ ଛାତ୍ର ଏବେ ବି ନିଖୋଜ ଅଛନ୍ତି ।
ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପିଲାମାନେ ସ୍କୁଲ୍ ପରେ ନଦୀରେ ଗାଧୋଇବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଏନେଇ ଜଣେ ନିଖୋଜ ଛାତ୍ର ଶୁଭମ ସେଠୀଙ୍କ ମା’ କଲ୍ୟାଣୀ ସେଠୀ କହିଛନ୍ତି, ମୋ ପୁଅ କାଲି ସ୍କୁଲରୁ ୧ଟାରେ ଆସିଲା। ଏହାପରେ ଦିଦି ଏକ କାଗଜ ଦେଇଥିବା ବେଳେ ସାଙ୍ଗ ପାଖରେ ଦେଇ ଆସୁଛି ବୋଲି କହିଲା। ଘରୁ ପଳାଇଲା। ହେଲେ ୫ଟା ଯାଏ ଫେରିଲାନି। ଏହାପରେ ସନ୍ଦେହ ହେବାରୁ ଖୋଜାଖୋଜି ଆରମ୍ଭ କଲୁ। ଏହାପରେ ନଦୀ କୂଳରେ ସାଇକେଲ ଥିବା ଖବର ପାଇ ଏଠାକୁ ଆସିଲୁ।
The post ଘରୁ ବାହାନା କରି ମହାନଦୀ ଘାଟକୁ ପଳାଇଲେ ୪ ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/2ZmBFgu
No comments:
Post a Comment