କାନପୁର: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୮୪ ରନ୍ର ଟାର୍ଗେଟ୍ ଦେଇଛି। ଜବାବରେ ଭ୍ରମଣକାରୀ ଦଳ ରବିବାର ୪ ରନ୍ରେ ଗୋଟିଏ ୱିକେଟ୍ ହରାଇ ସାରିଛି। ଆଉ ଆଜି ଶେଷ ଦିନରେ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ। ତେବେ ଗତକାଲି ଏମିତି ଏକ ସମୟ ଆସିଥିଲା ଯେତେବେଳେ ଲାଗିଲା ଯେ ଭାରତ ଦ୍ୱିତୀୟ ଇନିଂସ୍ରେ ଅଧିକ ରନ୍ କରିପାରିବ ନାହିଁ। କାରଣ ଦଳର ଟପ୍ ଚାରି ବ୍ୟାଟ୍ସମ୍ୟାନ୍ ଖୁବ୍ କମ୍ ରନ୍ରେ ଆଉଟ୍ ହୋଇଯାଇଥିଲେ।
ମୟଙ୍କ ଅଗ୍ରୱାଲ ୧୭ ରନ୍ କରିଥିବା ବେଳେ ଶୁବମନ ଗିଲ୍ ୧, ଚେତେଶ୍ୱର ପୂଜାରା ୨୨ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪ ରନ୍ କରି ଆଉଟ୍ ହୋଇଥିଲେ। ପୁଣି ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ଶୂନରେ ଆଉଟ୍ ହୋଇଯାଇଥିଲେ। ତେବେ ପ୍ରଥମ ଇନିଂସ୍ରେ ଶତକ ମାରିଥିବା ଶ୍ରେୟସ ଆୟର ଓ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଆଶା ଉଜ୍ଜ୍ୱଳିତ କରିଥିଲେ। ଅଶ୍ୱିନ ପୂରା ଆଟାକିଂ ଖେଳିଥିଲେ। ସେ ୩୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ଶ୍ରେୟସ ୱିକେଟ୍ କିପର ଋଦ୍ଧିମାନ ସାହାଙ୍କୁ ସାଥୀ କରି ଖେଳିଥିଲେ। ଉଭୟ ଭଲ ଖେଳିଥିଲେ। ଶ୍ରେୟସ ୬୫ (୧୨୫ ବଲ୍, ୮ ଚୌକା ଓ ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଋଦ୍ଧିମାନ ସାହା ଅପରାଜିତ ୬୧ ରନ୍ କରିଥିଲେ। ଋଦ୍ଧିମାନ ଓ ଅକ୍ଷର ବେଶ୍ ଭଲ ଭାବେ ଖେଳକୁ ଆଗେଇ ନେଉଥିବା ବେଳେ ଦଳୀୟ ସ୍କୋର ୨୩୪ରେ ପହଞ୍ଚିବା ପରେ ଟିମ୍ ଇନିଂସ୍ ଘୋଷଣା କରିଥିଲା। ଏହା ପରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିବାକୁ ଆସିଥିଲା।
ଗତକାଲି ଚତୁର୍ଥ ଦିନରେ ଟପ୍ ବ୍ୟାଟ୍ସମ୍ୟାନ୍ ମାନେ ଅଳ୍ପ ରନ୍ରେ ଆଉଟ୍ ହୋଇଥିବା ବେଳେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସଙ୍କୁ କୋଚ୍ ରାହୁଲ ଦ୍ରାବିଡ଼ କିଛି ସ୍ପଷ୍ଟ ପରାମର୍ଶ ଦେଇଥିଲେ। ଆଉ ଏହି ପରାମର୍ଶ ସଂପର୍କରେ ଶ୍ରେୟସ ଗତକାଲି ଖେଳ ଶେଷ ପରେ କହିଥିଲେ।
ଶ୍ରେୟସ କହିଥିଲେ, ରାହୁଲ ସାର୍ କହିଥିଲେ ଯେ ମୋତେ କ୍ରିଜ୍ରେ ରହିବାକୁ ପଡ଼ିବ ଓ ରନ୍ କରିବାକୁ ପଡ଼ିବ। ମୁଁ ଯେତେ ଅଧିକ ସମୟ ରହିପାରିବି, ସେତେ ଭଲ ହେବ ବୋଲି ସେ ମୋତେ କହିଥିଲେ। ମୁଁ ତା’ଠୁ ଅଧିକ କିଛି ଚିନ୍ତା କରି ନଥିଲି।
ସେ କହିଥିଲେ, ଆମକୁ ଏକ ଭଲ ସ୍କୋର ଆବଶ୍ୟକ ଥିଲା। ଆମେ ୨୭୫ ରୁ ୨୮୦ ରନ୍ର ଲିଡ୍ ଚାହୁଁଥିଲୁ। କାରଣ ଏତିକି ହେଲେ ଆମ ସ୍ପିନରମାନେ ଭ୍ରମଣକାରୀ ଦଳକୁ ଶେଷ ଦିନରେ ଚାପରେ ରଖିପାରିବେ। ମୁଁ ଭାବୁଥିଲି ଏହି ୱିକେଟ୍ରେ ୨୫୦ ରନ୍ କଲେ ବି ନ୍ୟୁଜିଲ୍ୟାଣ୍ଡକୁ ଚାପରେ ରଖି ହେବ। ସୌଭାଗ୍ୟବଶତଃ ଆମେ ତା’ଠାରୁ ଆହୁରି ଅଧିକ ରନ୍ କରିଥିଲୁ।
ସୂଚନାଯୋଗ୍ୟ, ଏହା ହେଉଛି ଶ୍ରେୟସ ଆୟର୍ଙ୍କ ଡେବ୍ୟୁ ଟେଷ୍ଟ। କ୍ୟାରିୟରର ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ସେ ୧୦୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୬୫ ରନ୍ କରିଥିଲେ।
The post ଚତୁର୍ଥ ଦିନରେ ଶ୍ରେୟସଙ୍କୁ କି ମନ୍ତ୍ର ଦେଇଥିଲେ କୋଚ୍ ରାହୁଲ ଦ୍ରାବିଡ଼ appeared first on Odisha Reporter.
from Odisha Reporter https://ift.tt/3E4UTpZ
No comments:
Post a Comment