କାନପୁର(ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶର କାନପୁରରେ ବଢ଼ୁଛି ଜିକା ଭାଇରସ ମାମଲା। ରବିବାର ଆଉ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ନିକଟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୩ ଜଣ ବାୟୁସେନା କର୍ମଚାରୀ, ୨ଜଣ ମହିଳା ଅଛନ୍ତି। ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ମୋଟ ଜିକା ପଜିଟିଭ୍ କେସ ୬୬ ଥିଲା। ଯେଉଁଥିରେ ୯ ଜଣ ଆଇଏଏଫ୍ କର୍ମଚାରୀ, ୪୫ ପୁରୁଷ ଏବଂ ୨୧ ଜଣ ମହିଳା ଥିଲେ। ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସାନିଟାଇଜେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ସ୍ୱାସ୍ଥ୍ୟ ବିଭାଗକୁ ପରିସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨୩ରେ କାନପୁରରେ ପ୍ରଥମ ଜିକା ଭାଇରସ କେସ୍ ଚିହ୍ନଟ ହୋଇଥିଲା। ଭାରତୀୟ ବାୟୁସେନାର ଜଣେ ୱାରେଣ୍ଟ ଅଫିସର ଏହି ଜିକା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୂରା ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା।
ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜେସନ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଜ୍ୱର ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା କରାଯାଉଛି। ସେହିପରି ଗର୍ଭବତୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜିକା ଜୀବାଣୁ ଏଡିସ୍ ମଶା ଦ୍ୱାରା ସଂକ୍ରମିତ ହୁଏ।
ଏହି ରୋଗ ପ୍ରଥମେ ୧୯୫୨ମସିହାରେ ଉଗାଣ୍ଡା ଏବଂ ତାଞ୍ଜାନିଆର ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା। ସାମାନ୍ୟ ଜ୍ୱର, ଦେହରେ ଦାଗ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା ଏହି ରୋଗର ଲକ୍ଷଣ ବୋଲି କୁହାଯାଇଛି। ଅଧିକାଂଶ ଲକ୍ଷଣ ଦୁଇ-ସାତ ଦିନ ପର୍ଯ୍ୟନ୍ତ ରହିପାରେ। ଯୌନ ସମ୍ପର୍କ ମାଧ୍ୟମରେ ଏହି ଭାଇରସ ଆଉ ଜଣକୁ ସଂକ୍ରମିତ କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
The post ବଢ଼ୁଛି ଜିକା ଭାଇରସ୍ ମାମଲା , ସଂକ୍ରମିତଙ୍କ ସଂଖ୍ୟା ୮୯ ଛୁଇଁଲା appeared first on Odisha Reporter.
from Odisha Reporter https://ift.tt/3o4Wgyr
No comments:
Post a Comment