ଫୁଲବାଣୀ(ତ୍ରିନାଥ ସାହୁ): ଦେଢ ବର୍ଷ ତଳେ କୋଳକୁ ଆସିଥିଲା ଶିଶୁ ପୁତ୍ର। ତାର ହସ, କାନ୍ଦ, ଖନି ଖନି କଥାରେ ପୂରି ଉଠୁଥିଲା ସଂସାର। ହେଲେ କେଜାଣି କାହାର ନଜର ଲାଗିଗଲା। ବାପାମା’ଙ୍କ ମୁଣ୍ଡରେ ଆକାଶ ଛିଣ୍ଡିଗଲା, ଯେତେବେଳେ ଜାଣିଲେ ପୁଅ ଦୁରାରୋଗ୍ୟ SMAରେ ଆକ୍ରାନ୍ତ । ଜୀବନ ବଞ୍ଚାଇବା ପାଇଁ ଦରକାର ୧୬ କୋଟିର ଇଞ୍ଜେକସନ । ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଦମ୍ପତ୍ତିଙ୍କ ପାଇଁ ୧୬ କୋଟି ଟଙ୍କ ସ୍ୱପ୍ନ ହୋଇଥିବା ବେଳେ ପୁଅର ଜୀବନ ବଞ୍ଚାଇବା ପାଇଁ ସୋଶାଲ ମିଡିଆରେ କରୁଛନ୍ତି ଆକୁଳ ନିବେଦନ ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଅଧୀନ ଆମ୍ବପଡ଼ା ଛକର ବାସିନ୍ଦା ହେଉଛନ୍ତି କୁଳମଣି ରଣା ଏବଂ ତମଲିକା ଦାସ। କୁଳମଣି ଏକ ଘରୋଇ ସଂସ୍ଥାରେ ଡେଲିଭେରୀ ବୟ ଭାବେ କାର୍ଯ୍ୟ କରୁଥିବା ବେଳେ ତମଲିକା ହେଉଛନ୍ତି ଗୃହିଣୀ। ସଂସାର କହିଲେ ଦେଢ଼ ବର୍ଷ ବୟସର ପୁଅ ରାଜଭିର ରଣା । ପୁଅ ଆସିବା ପରଠୁ ହସଖୁସିରେ ପୂରି ଉଠୁଥିଲା ସଂସାର।
ହେଲେ କିଛି ଦିନ ପୂର୍ବେ ପୁଅର ଦେହ ଖରାପ ହେବାରୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା। ପୁଅ ଦୁରାରୋଗ୍ୟ SMAରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିବା ପରେ ସତେ ଯେପରି କୁଳମଣି ଓ ତମଲିକାଙ୍କ ସଂସାରରେ କଳା ବାଦଲ ଘୋଟି ଯାଇଛି। ଏଠାରେ ତାର ଦେହ ଦିନକୁ ଦିନ ଅଧିକ ଅସୁସ୍ଥ ହେବାରୁ ଶିଶୁକୁ ନେଇଁ ବାଙ୍ଗାଲୋର ଯାଇଛନ୍ତି । ବର୍ତମାନ ବାଙ୍ଗାଲୋରର ହାଭେଲ ରେ ଥିବା Baptist Hospital ରେ ଶିଶୁର ଚିକିତ୍ସା ଜାରି ରହିଛି ।
ଶିଶୁର ମରଣ ମୁହଁରୁ ଫେରାଇ ଆଣିବାକୁ ସଞ୍ଜୀବନୀ ସଦୃଶ ୧୬ କୋଟିର ଇଞ୍ଜେକସନ ଦରକାର। ଏହା ଭାରତରେ ଉପଲବ୍ଧ ନ ଥିବା ବେଳେ ଏହାକୁ ବିଦେଶରୁ ଆଣିବାକୁ ପଡ଼ିବ । ନଚେତ କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ଶୁଣାଇ ଦେଇଛନ୍ତି ଡାକ୍ତର । ଏତେ ଟଙ୍କା ଯୋଗାଡ଼ କରିବା କୁଳମଣି ଓ ତମଲିକାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ । ହେଲେ ପୁଅର କଷ୍ଟକୁ ସହି ନ ପାରି ସେମାନଙ୍କ ଆଖିରୁ ଲୁହ ଶୁଖୁନି। ଧୈର୍ଯ୍ୟ ନ ହରାଇ ନିଜକୁ ସମ୍ଭାଳି ଶେଷ ପର୍ଯ୍ୟନ୍ତ ପୁଅକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିବେ ବୋଲି ପଣ କରିଛନ୍ତି।
ଏବେ ପୁଅର ଚିକିତ୍ସା ପାଇଁ ବାଙ୍ଗାଲୋରରେ ଥିବାରୁ ନିଜ ଚାକିରି ହରାଇ ସାରିଛନ୍ତି କୁଳମଣି। ତଥାପି ପୁଅର ଜୀବନ ବଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଚେଷ୍ଟା। ସେମାନଙ୍କ ଏହି ଅଭିଯାନରେ କିଛି ସ୍ୱେଚ୍ଛାସେବୀ ବି ସାମିଲ ହୋଇଛନ୍ତି। ଏହି ଇଞ୍ଜେକ୍ସନ କ୍ରୟ କରି ଶିଶୁର ଜୀବନ ବଞ୍ଚାଇବା ପାଇଁ ପ୍ରୟାସକୁ ଜୋରଦାର କରିଛନ୍ତି ଦମ୍ପତ୍ତି। ଏପରିକି ଏହି ଇଞ୍ଜେକ୍ସନ କ୍ରୟ କରିବା ପାଇଁ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ସୋସିଆଲ ମିଡ଼ିଆରେ ଆକୁଳ ନିବେଦନ କରୁଛନ୍ତି ଉଭୟ କୁଳମଣି ଓ ତମଲିକା।
The post ମରଣ ମୁହଁରେ ଦେଢ ବର୍ଷର ରାଜଭିର, ଜୀବନ ବଞ୍ଚାଇବାକୁ ଦରକାର ୧୬ କୋଟିର ସଞ୍ଜୀବନୀ appeared first on Odisha Reporter.
from Odisha Reporter https://ift.tt/3cjRSWF
No comments:
Post a Comment