ଭରତପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ରାଜସ୍ଥାନର ଭରତପୁରରୁ ଆସିଛି। ଦୁଇ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବୈଠକ ଚାଲିଥିବା ବେଳେ ପ୍ରବଳ ଗୁଳି ମାଡ଼ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ବାପା-ପୁଅ ପ୍ରାଣ ହରାଇଥିବା ବେଳେ ଗୁଳି ମାଡ଼ କରିଥିବା ଅଭିଯୁକ୍ତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସୁରେନ୍ଦ୍ର ସିଂହ ଓ ଲକ୍ଷ୍ମଣ ଶର୍ମାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୁରେନ୍ଦ୍ର ରାଗି ଯାଇ ଲକ୍ଷ୍ମଣଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। କୋଟୱାଲି ଥାନାର ଆସିସଷ୍ଟାଣ୍ଡ ସବ୍ ଇନସପେକ୍ଟର ବିଜୟ ପଲ ଓ ହେଡ କନଷ୍ଟେବଲ ମନ ସିଂହ ନାଇଟ ପ୍ୟାଟ୍ରୋଲିଂ ବେଳେ ଘଟଣା ସମ୍ପର୍କରେ ଖବର ପାଇଥିଲେ।
ଉଭୟ ସେଠାକୁ ଯାଇ ବିବାଦର ସାମାଧାନ କରିଥିଲେ। ତେବେ ରବିବାର ସକାଳେ ସୁବାଷ ନଗର ଠାରେ ଥିବା ସୁରେନ୍ଦ୍ରଙ୍କ ଘର ପାଖରେ ବିବାଦ ସାମାଧନ ପାଇଁ ଉଭୟ ପକ୍ଷର ଲୋକମାନେ ଏକାଠି ହୋଇଥିଲେ। ସମାଧାନ ପାଇଁ କଥାବର୍ତ୍ତା ଚାଲିଥିବା ବେଳେ ଲକ୍ଷ୍ମଣଙ୍କ ଭାଇ ଦିଲାୱର ହଠାତ୍ ସୁରେନ୍ଦ୍ର ଓ ତାଙ୍କ ୧୭ ବର୍ଷୀୟ ପୁଅ ସଚିନଙ୍କ ଉପରକୁ ଗୁଳିମାଡ଼ କରିଥିଲେ।
ଗୁଳିମାଡ଼ କରିବା ପରେ ଦିଲୱାର ନିଜେ କୋଟୱାଲି ଥାନାକୁ ଫୋନ କରିଥିଲେ। ସୁରେନ୍ଦ୍ରଙ୍କ ସମର୍ଥକମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିବା ସେ ଅଭିଯୋଗ କରି ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା।
ଦିଲୱାରଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଛି। ସୁରେନ୍ଦ୍ରଙ୍କ ସମର୍ଥକମାନେ ଏପରି ଗୁଳି ମାଡ଼ କରିଥିବା କୁହାଯାଉଛି। ଘଟଣା ପରେ ଗୁଳିମାଡ଼ର ଶିକାର ହୋଇଥିବା ସଚିନ, ସୁରେନ୍ଦ୍ର ଓ ଦିଲୱାରଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସୁରେନ୍ଦ୍ର ଓ ସଚିନଙ୍କୁ ମୃତ ଘୋଷଣା କରିଛନ୍ତି।
ଘଟଣା ପରେ ସୁରେନ୍ଦ୍ରଙ୍କ ପରିବାର ଲୋକ ହସ୍ପିଟାଲ ପାଖରେ ରାସ୍ତା ରୋକ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶେଷରେ ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।
ସେହିପରି କାର୍ଯ୍ୟରେ ଅବହେଳା ପାଇଁ ପୁଲିସ୍ ପ୍ରଶାସନ କୋଟୱାଲି ଥାନାର ଆସିସଷ୍ଟାଣ୍ଡ ସବ୍ ଇନସପେକ୍ଟର ବିଜୟ ପଲ ଓ ହେଡ କନଷ୍ଟେବଲ ମନ ସିଂହଙ୍କୁ ନିଲମ୍ବିତ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।
The post ବିବାଦର ସମାଧାନ ପାଇଁ ବୈଠକ ଚାଲିଥିବା ବେଳେ ଫୁଟିଲା ଗୁଳି, ବାପ-ପୁଅ ମୃତ appeared first on Odisha Reporter.
from Odisha Reporter https://ift.tt/3bQKO3F
No comments:
Post a Comment