କାନପୁର: ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଆଜି ସକାଳୁ ସକାଳୁ କିଛି ୱିକେଟ୍ ନେବାକୁ ଆଶା ରଖିଥିବା ଭାରତୀୟ ଦଳକୁ ନିରାଶ ହେବାକୁ ପଡ଼ିଛି। ଲଞ୍ଚ୍ ସୁଦ୍ଧା ଘରୋଇ ଦଳ ୱିକେଟ୍ ନେବାରେ ବିଫଳ ହୋଇଛି। ଫଳରେ ଗତକାଲି ଗୋଟିଏ ୱିକେଟ୍ ହରାଇଥିବା ନ୍ୟୁଜିଲ୍ୟାଣ୍ଡ ଏବେ ବିଜୟ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି।
ଆଜି ଲଞ୍ଚ୍ ସୁଦ୍ଧା ଦଳ ୭୯ ରନ୍ କରିଛି। ଓପନର୍ ଟମ୍ ଲାଥମ ୩୫ ରନ୍ (୯୬ ବଲ୍, ୨ ଚୌକା) କରି ଅପରାଜିତ ଥିବା ବେଳେ ୱିଲିୟମ ସମରଭିଲ୍ଲେ ୩୬ (୧୦୯ ବଲ୍, ୫ ଚୌକା) କରି କ୍ରିଜ୍ରେ ଅଛନ୍ତି।
ଗତକାଲି ଭ୍ରମଣକାରୀ ଦଳ ୪ ରନ୍ରେ ୱିଲ୍ ୟଙ୍ଗଙ୍କ ୱିକେଟ୍ ହରାଇଥିଲା। ସେ ୨ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଟମ୍ ଲାଥମ ୨ ରନ୍ କରିଥିବା ବେଳେ ୱିଲିୟମ ସମରଭିଲ୍ଲେ ଖାତା ଖୋଲି ନଥିଲେ। ଆଉ ଆଜି ପୁଣି ପଡ଼ିଆକୁ ଓହ୍ଲାଇଥିବା ଏହି ଦୁଇ ଖେଳାଳି ଦଳ ପାଇଁ ରନ୍ ସଂଗ୍ରହ ଜାରି ରଖିଛନ୍ତି।
ଗତକାଲି ଗୋଟିଏ ୱିକେଟ୍ ପାଇଥିବା ଅଶ୍ୱିନଙ୍କୁ ଆଜି ଏପର୍ଯ୍ୟନ୍ତ ସଫଳତା ମିଳି ନାହିଁ। ସେହିପରି ଅକ୍ଷର ପଟେଲ, ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜ କିଛି କମାଲ କରି ପାରି ନାହାନ୍ତି।
ସୂଚନାଯୋଗ୍ୟ, ପ୍ରଥମ ଇନିଂସ୍ରେ ଭାରତ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍ରେ ଭାରତ ୨୩୪ ରନ୍ କରି ପାଳି ଘୋଷଣା କରିଥିଲା। ଫଳରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଏବେ ୨୮୪ ରନ୍ର ବିଜୟ ଲକ୍ଷ୍ୟ ରହିଛି।
The post ଲଞ୍ଚ୍ ହେଲା, ୱିକେଟ୍ ଗଲାନି; ଜିତି ଯିବକି ନ୍ୟୁଜିଲ୍ୟାଣ୍ଡ appeared first on Odisha Reporter.
from Odisha Reporter https://ift.tt/3FWWU8s
No comments:
Post a Comment