ଶରତଚନ୍ଦ୍ର କେମିତି ଲେଖିଥିଲେ ଦେବଦାସ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଶରତଚନ୍ଦ୍ର କେମିତି ଲେଖିଥିଲେ ଦେବଦାସ?

ମାୟାଧର ନାୟକ

ବହୁଦିନ ତଳର ଘଟଣା। ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ। ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି। ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ କିଣାପାଇଁ ଟଙ୍କା ବରାଦ ଥାଏ। ସେ ବର୍ଷ ଦୁର୍ଗାପୂଜାରେ ପ୍ରାୟ ସବୁ ଜଣାଣୁଣା ଲେଖକମାନଙ୍କୁ ପ୍ରକାଶକମାନେ ପାଣ୍ଡୁଲିପି ପାଇଁ ବରାଦ ଦେଇସାରିଥିଲେ। ଜଣେ ପ୍ରକାଶକ ଖୋଜିଖୋଜି ଲେଖକ ପାଇଲେ ନାହିଁ।

ଅଧିକାଂଶ ଲେଖକ ସେଇ ପ୍ରକାଶକଙ୍କୁ ମନାକରିବା ସଂଗେସଂଗେ ପରାମର୍ଶ ଦେଲେ, ଜଣେ ନିଶାଖୋର ଲେଖକ ଶରତ ଚଟ୍ଟୋପାଧ୍ୟାୟ ଅଛନ୍ତି, ତାଙ୍କୁ ଯାଇ ପାଣ୍ଡୁଲିପି ପାଇଁ ବରାଦ ଦିଅ।

ଶରତ ଚାଟାର୍ଜୀ ସେତେବେଳେ ନିଶାଖୋର୍ ଥିଲେ। କାହାକୁ ମାନୁ ନଥିଲେ। ମନକୁ ଯାହା ଆସୁଥିଲା ଲେଖୁଥିଲେ। ଏଇଥିପାଇଁ ସେତେବେଳର ବଂଗଳା ଲେଖକମାନଙ୍କ ପଙ୍ଗତରେ ଶରତବାବୁ ପଶି ପାରି ନଥିଲେ। ଅନ୍ୟ ଲେଖକମାନେ ଶରତବାବୁଙ୍କୁ ଏକପ୍ରକାର ତାଚ୍ଛଲ୍ୟ କରୁଥିଲେ। ପ୍ରକାଶକ ବ୍ୟବସାୟୀମାନେ ବେଳେବେଳେ ବ୍ୟବସାୟରେ ବାଜି ଲଗାଇ ଦିଅନ୍ତି। ଜଣେ ପ୍ରକାଶକ ଅପରାହ୍ନ ୪ଟା ବେଳେ ଶରତଚନ୍ଦ୍ରଙ୍କୁ ଭେଟି ଲେଖାକଥା କହିଲେ। ଶରତବାବୁ ରାଜିହେଲେ ଏବଂ କହିଲେ, ବର୍ତ୍ତମାନ ଯାଇ ଏଇ ଏଇ ଜିନିଷ ଆଣ। ପ୍ରକାଶକ କିଛି ପାନୀୟ, ଖାଦ୍ୟ, କାଗଜକଲମ ଆଣି ପହଂଚିଲେ। ଏ ସମସ୍ତ ପଦାର୍ଥ ବୋଧେ ସେତେବେଳେ କୋଡ଼ିଏ ଟଙ୍କାରୁ ବେଶୀ ହେବନାହିଁ।

ପ୍ରକାଶକ ପଦାର୍ଥ ଭେଟି ଦେଇ ପଚାରିଲେ, ଆଜ୍ଞା ପାଣ୍ଡୁଲିପି ନେବାକୁ କେବେ ଆସିବି। ଶରତ ଚନ୍ଦ୍ର କହିଲେ, କେତେଟା ବାଜିଛି? ପ୍ରକାଶକ କହିଲେ, ୫ଟା ବାଜିଛି। ଶରତବାବୁ କହିଲେ, କାଲି ସକାଳ ୫ଟା ବେଳକୁ ଆସ; ପାଣ୍ଡୁଲିପି ନେଇଯିବ। ପ୍ରକାଶକ ମନେମନେ ମନସ୍ତାପକରି କିଛି ନ କହି ପଳାଇ ଆସିଲେ। ଅକାରଣେ କୋଡ଼ିଏ ଟଙ୍କା ପାଣିରେ ପଡ଼ିଲା ଭାବି ପୁଣି ପରୀକ୍ଷା ଅପେକ୍ଷାରେ ରହିଲେ।

ଶରତଚନ୍ଦ୍ର ଲେଖି ବସିଲେ, ଲେଖୁଲେଖୁ ଭୋର ୫ଟା ହୋଇଗଲା। ଠିକ୍ ସେତିକିବେଳେ ପ୍ରକାଶକ ଶରତବାବୁଙ୍କ କବାଟ ଠକ୍ ଠକ୍ କଲେ। ଶରତବାବୁ ବାଷ୍ଫରୁଦ୍ଧ କଣ୍ଠରେ କହିଲେ, କବାଟ ଖୋଲାଅଛି, ଭିତରକୁ ଆସ। ପ୍ରକାଶକ ଭିତରକୁ ଯାଇ ଦେଖିଲେ ଶରତଚନ୍ଦ୍ରଙ୍କ ଆଖିରୁ ଲୁହ ଧାରଧାର ହୋଇ ଗଡ଼ି ଚାଲିଛି। ଫର୍ଦ୍ଦ ଫର୍ଦ୍ଦ କାଗଜ ଚାରିଆଡ଼େ ବିଛଣା ଚାରିପାଖ ପଡ଼ିଛି। କିଛି ଫର୍ଦ୍ଦ କାଗଜ ଉପରେ ଶରତବାବୁ କଲମ ମାଡ଼ି ଭାଙ୍ଗି ଦେଇଛନ୍ତି।

ଲୁହ ପୋଛୁ ପୋଛୁ ଶରତବାବୁ କାଗଜ ଗୋଟାଇ ପୃଷ୍ଠା ପରେ ପୃଷ୍ଠା ସଜାଇ ପ୍ରକାଶକଙ୍କୁ ପାଣ୍ଡୁଲିପି ବିଡ଼ାଟି ଧରାଇଦେଲେ। ପ୍ରକାଶକ ସେଇ ପାଣ୍ଡୁଲିପି ଆଣି ଛପାଇ ଦେଲେ। ସେବର୍ଷ ଦୁର୍ଗାପୂଜାରେ ଶରତଚନ୍ଦ୍ରଙ୍କ ଉପନ୍ୟାସର ବିକ୍ରି ସମସ୍ତ ଲେଖକଙ୍କ ଉପନ୍ୟାସକୁ ଟପିଗଲା। ତୁଣ୍ଡବାଇଦ ସହସ୍ରକୋଶ ଭଳି ଶରତଚନ୍ଦ୍ରଙ୍କ ପ୍ରଶଂସା ଘରେ ଘରେ ବିଚ୍ଛୁରିତ ହେଲା।

ସେ ଉପନ୍ୟାସଟି ଥିଲା ‘ଦେବଦାସ’। ଆଜି ସୁଦ୍ଧା ଦେବଦାସ ଭାରତର ସବୁଭାଷାରେ, ବିଦେଶର ୧୪ଟା ଭାଷାରେ ପ୍ରକାଶିତ। କୋଟିକୋଟି ପାଠକଙ୍କ ପାଖରେ ଆଦର ଲାଭ କରିଛି। ପ୍ରକାଶକ ‘ଦେବଦାସ’ ପ୍ରକାଶକରି ପାଂଚମହଲା କୋଠାର ମାଲିକ ହୋଇଥିଲେ। ବଂଗଳା ସିନେମାରେ ‘ଦେବଦାସ’ ଭୂମିକାରେ ଦିଲ୍ଲୀପ କୁମାର ଏବଂ ଏଇ ନିକଟ ଅତୀତରେ ହିନ୍ଦୀ ଚଳଚ୍ଚିତ୍ରରେ ଶହାରୁଖ ଖାନଙ୍କ ଅଭିନୟ ବହୁ ଦର୍ଶକଙ୍କ ମନରେ ଏବେବି ଉଜ୍ଜୀବିତ।

ତା’ହେଲେ ଯେଉଁ ଲେଖକଙ୍କୁ ସେ ସମୟରେ ସମସାମୟିକ ଲେଖକମାନେ ଟିଟ୍ଟିକାର ମାରୁଥିଲେ, ସେ ଲେଖକ ଭାରତର ଉପନ୍ୟାସ ସମ୍ରାଟ ହୋଇଗଲେ। ଏଇଭଳି ଘଟଣା ସାହିତ୍ୟ କ୍ଷେତ୍ରରେ ଏବେବି ଘଟୁଛି। ଆମେ ସାହିତ୍ୟିକମାନେ କେହି କାହାକୁ ଦେଖିପାରୁନୁ କି ସତ୍ ଲେଖାକୁ ପ୍ରଶଂସା କରିପାରୁନୁ। ଏହାହିଁ ବିଡ଼ମ୍ବନା।

ବିରାଟ ଦେଶ ଭାରତରେ ୨ୟ ଭାଷା ଇଂରାଜୀରେ ବହି ପଢ଼ିବା ଲୋକଙ୍କର ସଂଖ୍ୟା ମଧ୍ୟ କମ୍ ନୁହେଁ। ଅଧିକାଂଶ ଲୋକ ନିଜ ମାତୃଭାଷା ଅପେକ୍ଷା ଇଂରାଜୀ ଭାଷା ପଢିବାକୁ ଭଲ ପାଆନ୍ତି। ହିନ୍ଦୀ ଏବଂ ଅନ୍ୟାନ୍ୟ ଆଂଚଳିକ ଭାଷାରେ ଭଲ ଲେଖାର ଆବଶ୍ୟକତା ରହିଛି। ଯାହାର ଅଭାବ ଯୋଗୁ ପାଠକ ଆକୃଷ୍ଟ ହୋଇପାରୁନାହାଁନ୍ତି।

ପୁରାଣର କୃଷ୍ଣ ଅର୍ଜୁନ, ରାମ ରାବଣ ଅଲୌକିକ ଶକ୍ତିଠାରୁ ହାରୀପୋର୍ଟର ମହାଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଇଛି। ଅଧିକାଂଶ ପଣ୍ଡିତ ଏବଂ ଧର୍ମାନ୍ଧ ମଣିଷ ଯେଉଁମାନେ ପୁରାଣକୁ ପାଣ୍ଠି କରି ବିରାଟ ବୋଲାଉଥିଲେ ସେମାନେ ଚିନ୍ତିତ ହେବା ସ୍ୱାଭାବିକ।

ସବୁ ଲେଖା ଲେଖା ନୁହେଁ। ସବୁ ଲେଖକ ଲେଖକ ନୁହଁନ୍ତି। ଯେଉଁମାନେ ଅତ୍ୟନ୍ତ ଅସାଧାରଣ ବିଷୟବସ୍ତୁକୁ ଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟ ମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚିଯାଉଥିବା ଚରିତ୍ର ଓ ଦୃଶ୍ୟ ଏବଂ ଆପଣାର ଇଚ୍ଛା ଅଭ୍ୟାସ ଚରିତ୍ରକୁ କିଂଚିତ୍ ହେଲେ ମଧ୍ୟ ସ୍ପର୍ଶ କରୁଥିବା ଲେଖା ଅତି ଆଦରରେ ହୋଇଯାଏ ତଥା ବେଳେ ବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେ ଗଭୀର ରେଖାପାତ ସୃଷ୍ଟି କରିଥାଏ।

ବିଜ୍ଞାପନ ଯୁଗ ଆସିଯାଇଛି। ଯିଏ ଯେତେ ପ୍ରଚାର କରିପାରିଲା ସେ ସେତେ ବାଜି ମାରିବ। ଯିଏ ନ ପଢ଼ିବ ସେ ପଛରେ ପଡ଼ିଯିବ। ସମସ୍ତେ ପଢ଼ିଲେଣି, ତୁମେ ପଢ଼ିଛ? ଏଇସବୁ ମନ ଭୁଲାଣିଆ ବିଜ୍ଞାପନ ଦେଇ ଏକ ବିରାଟ ବଜାର ସୃଷ୍ଟି ହୋଇଯାଉଛି। ମିଡିଆରେ ଘନ ଘନ ପ୍ରଚାର ହେବା ଫଳରେ ସମାଲୋଚନାର ଦ୍ୱାର ଏକରକମ ବନ୍ଦ ହୋଇଯାଇଛି।

ସମାଜ ପରିବର୍ତ୍ତନରେ ଅଳ୍ପ ଯେଉଁ କେତେଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକ ବହୁ ଉପାଦେୟ ପୁସ୍ତକ ଲେଖିଯାଇଛନ୍ତି ସେଗୁଡ଼ିକୁ ଜନସମାଜରୁ ଦୂରେଇ ରଖିବାକୁ ଅପଚେଷ୍ଟା ଚାଲିଛି। ପୁଣି ସେଇ ରକ୍ଷଣଶୀଳତା ଆଡ଼କୁ ଜନସମୁଦାୟକୁ ମୁହାଇଁ ନେବାର ଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ପଚାଶ ବର୍ଷ ଧରି ଏଇ ପୃଥିବୀରେ ଯେଉଁ ଲେଖା ପ୍ରକାଶ ପାଉଛି ଅଧିକାଂଶ ଲେଖା ତୃଣମୂଳ ଜୀବନ ସହ ସଂପର୍କ ରହୁନି। ଯେଉଁ ନାମକରା ଲେଖକମାନଙ୍କର ଲେଖା ନୋବେଲ୍ ପ୍ରାଇଜ୍ କିମ୍ବା ଅନ୍ୟ ପୁରସ୍କାର ପାଉଛି ସେଥିରେ ମଧ୍ୟ ପ୍ରିୟାପ୍ରୀତି ତୋଷଣ ଚାଲିଛି।

ଭାରତୀୟ ଲେଖକ / ଲେଖିକାମାନେ ନିଜର ସ୍ପଷ୍ଟ ମତାମତ କିମ୍ବା ଜୀବନ ସହ ସଂପର୍କିତ ଲେଖା ଲେଖିବାକୁ ଉଦ୍ୟମ କଲେ ବି ବିଭିନ୍ନ କ୍ଷେତ୍ରରେ ବାଧା ପାଉଛନ୍ତି। ଅଧିକାଂଶ ଲେଖକ ଯେଉଁମାନେ ନାମକରା ସେମାନେ ଉପର ମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁ ଲେଖାଗୁଡ଼ିକ ଚିରାଚରିତ ସାଧାରଣ ହେଉଥିବାରୁ ତାହା ସୁଖପାଠ୍ୟ କିମ୍ବା ଶିକ୍ଷଣୀୟ ହେଉ ନାହିଁ। କେବଳ କୋଟି କୋଟି ଟଙ୍କାର କାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି। ବିଶେଷକରି ଶିଶୁମାନେ ଦେଶର ଭବିଷ୍ୟତ କହି ଡିଣ୍ଡିମ ପିଟୁଥିଲାବେଳେ ସେଇ ଶିଶୁ ମନକୁ ମୂଳରୁ କିମ୍ଭୂତ କିମାକାର ଧାରଣା ସୃଷ୍ଟି କରାଇ ଧର୍ମଭୀରୁ କରାଇ ଦିଆଯିବାର ସୁକୌଶଳ ଷଡ଼ଯନ୍ତ୍ର ଚାଲିଛି। ଶିଶୁମାନଙ୍କୁ ଆରମ୍ଭରୁ ସାହସୀ, ଲଢୁଆ, ସତ୍ୟନି  କରି ଗଢ଼ିତୋଳିଲେ ପ୍ରାଚୁର୍ଯ୍ୟର ସାମ୍ରାଜ୍ୟ ଯେ ଭାଙ୍ଗି ଚୂର୍ମାର୍ ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକ ଗୋଷ୍ଠୀର ଅଛି। ତେଣୁ ଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀ ରାଜକୋଷକୁ ବରବାଦ୍ କରି ବରାଦିଆ ଲେଖକ ଗୋଷ୍ଠୀ ସୃଷ୍ଟି କରୁଛନ୍ତି। ଯାହା ଫଳରେ ଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜି ଉପରେ ନିର୍ଭର କରୁଛି। ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି। ଏହା ସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣୁଛି। ଏହି ଆକ୍ରମିତ ବିପଦ ବିରୋଧରେ ଅଳ୍ପ ହେଲେ ବି କିଛି ଲେଖକ କଲମ ଚଳାଇଲେ ଇତିହାସର ଧାରା ବଦଳିଯିବ।

ଏଇ ଗୋଲାର୍ଦ୍ଧରେ ଅନେକ ଲେଖକ ଅଛନ୍ତି ଯେଉଁମାନେ ଜୀବନ ଜୀବିକା ସହ ସଂଘର୍ଷ କରି ତୃଣମୂଳ ସହ ସଂପର୍କ ରଖି ଲେଖନୀ ଚାଳନା କରିଚାଲିଛନ୍ତି। ସେମାନଙ୍କ ପାଇଁ ବଜାର ନାହିଁ କି ପ୍ରଚାର ନାହିଁ। ଅଧିକାଂଶ ମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି। ଏଇ ଓଡ଼ିଶାରେ ମଧ୍ୟ ଏଭଳି ଲେଖକ ଅଛନ୍ତି ଯେଉଁମାନଙ୍କ ରଚନା ବିଶ୍ୱର ଉପଯୁକ୍ତ ସ୍ଥାନରେ ପହଂଚି ପାରିଲେ ବିଶ୍ୱବିଖ୍ୟାତ ଲେଖକ/ଲେଖିକାମାନଙ୍କ ସହ ସମକକ୍ଷ ହୋଇପାରିବେ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

The post ଶରତଚନ୍ଦ୍ର କେମିତି ଲେଖିଥିଲେ ଦେବଦାସ? appeared first on Odisha Reporter.



from Odisha Reporter https://ift.tt/323Oldh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages