ଲକ୍ଷ୍ନୌ: ଅକ୍ଟୋବର ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଏକ ମ୍ୟାଚ୍ରେ ଭାରତକୁ ପାକିସ୍ତାନ ହରାଇବା ପରେ ବିଜୟୋତ୍ସବ ପାଳନ କରିଥିବା ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଜଣେ ବ୍ୟକ୍ତି। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ।
ଯେଉଁ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି, ତାଙ୍କ ନାଁ ଈଶାନ ମିଆଁ। ସେ ରାମପୁରର ଅଜିମ ନଗରରେ ରହନ୍ତି। ତାଙ୍କ ପତ୍ନୀଙ୍କ ନାଁ ରବିଆ ଶମ୍ସି। ଈଶାନ ଅଭିଯୋଗ କରିଛନ୍ତି ଯେ ସେଦିନ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ରେ ଭାରତକୁ ପାକିସ୍ତାନ ହରାଇବା ପରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ଲୋକେ ବାଣ ଫୁଟାଇଥିଲେ। ସେମାନେ ନିଜ ନିଜ ହ୍ୱାଟ୍ସ ଆପ୍ ଷ୍ଟାଟସ ମଧ୍ୟ ବଦଳାଇ ଦେଇଥିଲେ, ଯେଉଁଥିରେ ପାକିସ୍ତାନୀ ଖେଳାଳିଙ୍କ ଫଟୋ ଥିଲା।
ଈଶାନଙ୍କ ଅଭିଯୋଗ ଆଧାରରେ ରାମପୁରର ଗଞ୍ଜ ଥାନା ପୁଲିସ୍ ମାମଲା ରୁଜୁ କରିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଏଫ୍ଆଇଆର୍ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଈଶାନ ଓ ତାଙ୍କ ପତ୍ନୀ ଏକାଠି ରହୁ ନାହାନ୍ତି। ବାହାଘରର ଅଳ୍ପ ଦିନ ପରେ ତାଙ୍କ ପତ୍ନୀ ନିଜ ବାପ ଘରକୁ ଚାଲି ଯାଇଥିଲେ। ସେ ଈଶାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନ ଜିତିବା ପରେ ବିଜୟୋତ୍ସବ ପାଳନ କରି ରାଜସ୍ଥାନର ଏକ ଘରୋଇ ସ୍କୁଲ୍ର ଶିକ୍ଷୟିତ୍ରୀ ତାଙ୍କ ଚାକିରି ହରାଇଥିଲେ। ସେହିପରି ଜମ୍ମୁ ଓ କଶ୍ମୀରର ଦୁଇଟି ମେଡିକାଲ୍ କଲେଜର କିଛି ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାକିସ୍ତାନ ଜିତିବା ପରେ ସେମାନେ ବାଣ ଫୁଟାଇ ପାକିସ୍ତାନ ସପକ୍ଷରେ ନାରାବାଜି କରିଥିଲେ।
The post ପାକିସ୍ତାନ ଜିତିବା ପରେ ବାଣ ଫୁଟାଇଥିଲେ ସ୍ତ୍ରୀ, ଥାନାରେ ଅଭିଯୋଗ କଲେ ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3wnI0nU
No comments:
Post a Comment