ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ନିର୍ଦ୍ଧାରିତ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନଭେମ୍ବର ୧୬ ତାରିଖରେ ସବୁ ପଞ୍ଚାୟତ ସଦର ମହକୁମାରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ। କୌଣସି ଆପତ୍ତି ଅଭିଯୋଗ ଥିଲେ ୨୩ ତାରିଖ ସୁଦ୍ଧା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସରଙ୍କ ପାଖରେ ଦାଖଲ କରି ହେବ। ୨୪ରୁ ୨୬ ତାରିଖ ମଧ୍ୟରେ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସର ଆପତ୍ତି ଅଭିଯୋଗ ଗୁଡ଼ିକର ତଦନ୍ତ କରି ଫଇସଲା କରିବେ।
ଚିଠା ଭୋଟର ତାଲିକା ନିରୀକ୍ଷଣ ଓ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସରଙ୍କ ନିଷ୍ପତ୍ତିରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ ବିଡିଓଙ୍କୁ ଦରଖାସ୍ତ ପ୍ରଦାନ କରିପାରିବେ। ନଭେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ବିଡିଓଙ୍କୁ ଦରଖାସ୍ତ ଦେଇପାରିବ। ଡିସେମ୍ବର ୧ରୁ ୨ ଭିତରେ ବିଡିଓ ଦରଖାସ୍ତ ଗୁଡ଼ିକର ଫଇସଲା କରିବେ। ଏହା ପରେ ଡିସେମ୍ବର ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ହେବ ପାଇବ। ୬ ତାରିଖରେ ଏହାକୁ କମିଶନଙ୍କ ନିକଟରେ ଦାଖଲ କରାଯିବ। ୧୪ ତାରିଖରେ ମୁଦ୍ରିତ ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଆସିବ।
ବାଲେଶ୍ୱର ବ୍ୟତୀତ ଅନ୍ୟ ସବୁ ଜିଲ୍ଲା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସେହିପରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣ ନିମନ୍ତେ ୧.୧୧.୨୦୨୧କୁ ଯୋଗ୍ୟ ତାରିଖ ଭାବେ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଧାରଣ କରିଛନ୍ତି। ଏହି ତାରିଖ ସୁଦ୍ଧା ୧୮ ବର୍ଷ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ଯୋଗ୍ୟ ଯେ କୌଣସି ବ୍ୟକ୍ତି ସାଧାରଣ ଭାବେ ପଞ୍ଚାୟତରେ ଯେଉଁ ୱାର୍ଡରେ ବାସ କରୁଛନ୍ତି, ସେହି ୱାର୍ଡର ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଦରଖାସ୍ତ କରିପାରିବେ। ସମସ୍ତ ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକା ଭୁକ୍ତ ହେବା ପାଇଁ ଏହାର ସୁଯୋଗ ନେବା ଉଚିତ୍ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ କୁହାଯାଇଛି।
The post ‘ଡିସେମ୍ବର ୧୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା’ appeared first on Odisha Reporter.
from Odisha Reporter https://ift.tt/3CYRfgQ
No comments:
Post a Comment