ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ସରଗରମ ହେବାରେ ଲାଗିଛି ରାଜନୀତି। ବିଭିନ୍ନ ଦଳ ମଧ୍ୟରେ ଚାଲିଛି ରାଜନୈତିକ ସମୀକରଣ ଏବଂ ଗଠବନ୍ଧନ। କ୍ଷମତାକୁ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରଖିଛି ସମାଜବାଦୀ ପାର୍ଟି। ଏହାରି ଭିତରେ ବୁଧାବର ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି।
ଦୁହିଁଙ୍କ ଭିତରେ ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଛି। ଆରଏଲଡି ପରେ ବର୍ତ୍ତମାନ ସମାଜବାଦୀ ପାର୍ଟି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ ଯେ ମିଶନ-୨୦୨୨ ପାଇଁ ପ୍ରସ୍ତୁତ ହେଉଥିବା ଅଖିଲେଶ ଯାଦବ ବଡ଼ ଦଳ ବଦଳରେ ଛୋଟ ଦଳ ସହ ମେଣ୍ଠ ଗଠନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଗତକାଲି ରାଷ୍ଟ୍ରିୟ ଲୋକ ଦଳକୁ ୩୬ଟି ସିଟ୍ ଦେଇ ମେଣ୍ଟ ଗଠନକୁ ଚୂଡାନ୍ତ କରିଛନ୍ତି। ଏହା ବ୍ୟତୀତ ପୂର୍ବାଞ୍ଚଲ ଓମପ୍ରକାଶ ରାଜଭାରର ଶୁଭାସପା ସହ ସମାଜବାଦୀ ପାର୍ଟିର ମେଣ୍ଟ ହୋଇସାରିଛି।
ତେବେ ସଞ୍ଜୟ ସିଂହଙ୍କ ସହ ଆଜିର ଏହି ଭେଟଘାଟ ପରେ ଅରବିନ୍ଦ କେଜ୍ରିୱାଲ ଓ ଅଖିଲେଶ ଯାଦବ ଏକାଠି ହେବା ନେଇ ଆଶଙ୍କା କରାଯାଉଛି। ସଞ୍ଜୟ ସିଂହ ଆମ୍ ଆଦମୀ ପାର୍ଟିର ସାଂସଦ ହେବା ସହ ଉତ୍ତରପ୍ରଦେଶର ପ୍ରଭାରୀ ମଧ୍ୟ ଅଟନ୍ତି। ସଞ୍ଜୟ ସିଂହ ଓ ଅଖିଲେଶଙ୍କ ଏହା ତୃତୀୟ ଦେଖାସାକ୍ଷାତ। ଦୁଇ ମାସ ପୂର୍ବେ ମଧ୍ୟ ଏ ଦୁଇ ଜଣଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପରେ ନିକଟରେ ମୁଲାୟମ ସିଂହଙ୍କ ଜନ୍ମଦିନ ଅବସରରେ ଦୁହେଁ ମିଶିଥିଲେ।
ସେପଟେ ଅଖିଲେଶଙ୍କ ସହ ସାକ୍ଷାତ ପରେ ଆପ୍ ନେତା କହିଛନ୍ତି, ଗଠବନ୍ଧନକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଛି, କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସବୁକିଛି ସ୍ଥିର ହେବା ମାତ୍ରେ ଏ ବିଷୟରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ସଞ୍ଜୟ ସିଂ କହିଛନ୍ତି ଯେ ‘ବିଜେପିକୁ ପରାସ୍ତ କରିବା ଆମ ସମସ୍ତଙ୍କର ପ୍ରାଥମିକତା। ଆମର ପ୍ରାଥମିକତା ହେଉଛି ବିଜେପିର ଶାସନ ଏବଂ ଏକଛତ୍ରବାଦୀ ଶାସନକୁ ପରାସ୍ତ କରିବା।’
The post ଏକାଠି ହେବେ ଅଖିଲେଶ ଓ କେଜ୍ରିୱାଲ! appeared first on Odisha Reporter.
from Odisha Reporter https://ift.tt/3nKTDme
No comments:
Post a Comment