ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଡାବର କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞାପନକୁ ନେଇ ଦେଖାଦେଇଥିବା ତୁମ୍ବି ତୋଫାନ । କରବା ଚୌଥ ପର୍ବକୁ ନେଇ ହୋଇଥିବା ଏହି ବିଜ୍ଞାପନରେ ସମଲିଙ୍ଗି ଯୋଡ଼ିଙ୍କୁ ଦେଖା ଯାଇଥିଲା। ଏହାକୁ ତୀବ୍ର ବିରୋଧ କରାଯିବା ପରେ କମ୍ପାନୀ ପକ୍ଷରୁ ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ହେଲେ ବିଜ୍ଞାପନ ହଟାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଚନ୍ଦ୍ରଚୁଡ଼ । ଏପରି କ୍ଷେତ୍ରରେ ପୁରୁଷ ଓ ମହିଳା ଉଭୟଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ବିଚାରପତି ଚନ୍ଦ୍ରଚୁଡ ।
ସାଧାରଣତଃ କରବା ଚୌଥ ପର୍ବକୁ ଉତ୍ତର ଭାରତରେ ଧୁମଧାମର ସହ ପାଳନ କରାଯାଇଥାଏ। ସ୍ୱାମୀଙ୍କ ଲମ୍ବା ଆୟୂଷ କାମନା କରି ପତ୍ନୀମାନେ ଏହି ବ୍ରତ ରଖିଥାନ୍ତି। ହେଲେ ସମଲିଙ୍ଗି ସମ୍ପର୍କକୁ ଆଧାର କରି ଡାବର ପକ୍ଷରୁ ଜାରି ବିଜ୍ଞାପନକୁ ମଧ୍ୟପ୍ରଦେଶର ଜଣେ ନେତା ବିରୋଧ କରିବା ପରେ ଏହାକୁ ହଟାଇ ଦିଆଯାଇଛି।
ନ୍ୟାୟାଧିଶ ଚନ୍ଦ୍ରଚୂଡ ଗତ ଶନିବାର ବାରଣାସୀରେ ‘ବିଧି ଜାଗରୁକତା ଦ୍ୱାରା ମହିଳା ସଶକ୍ତିକରଣ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ବିକ୍ରମ ନାଥ, ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ, ଅହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧିଶ ରାଜେଶ ବିନ୍ଦଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ନ୍ୟାୟାଧିଶ ଚନ୍ଦ୍ରଚୂଡ କହିଛନ୍ତି, ସାଧାରଣ ଲୋକଙ୍କ ଅସହିଷ୍ଣୁତା ଆଧାରରେ କମ୍ପାନୀ ପକ୍ଷରୁ ୨ ଦିନ ପୂର୍ବେ ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ଯୁବ ପିଢ଼ି ପୁରୁଷଙ୍କ ଦ୍ୱାରା ମହିଳାଙ୍କ ଅଧିକାର ପ୍ରତି ଜାଗୁରକତା ସୃଷ୍ଟି ନ ହୋଇଛି ସେ ପର୍ଯ୍ୟନ୍ତ ମହିଳାମାନଙ୍କୁ ନାର୍ଯ୍ୟ ଅଧିକାର ମିଳିପାରିବ ନାହିଁ।
ଏହାବାଦ ସେ କହିଛନ୍ତି, ମହିଳାମାନେ ଏବେ ବି ନିଜ ଅଧିକାରରୁ ବଞ୍ଚିତ ହେଉଥିବା ବେଳେ ଏପରି ସମସ୍ୟାର ସମାଧାନ ବାହାର କରିବା ଦରକାର । ଫଳରେ ଏପରି ସମସ୍ୟାର ମୂଳ କେନ୍ଦ୍ରର ମାନସିକତାକୁ ପରିବର୍ତ୍ତନ କରାଯାଇପାରିବ ।
ସୂଚନାଯୋଗ୍ୟ, କରବାଚୌଥ ଅବସରରେ ଡାବର କମ୍ପାନୀ ପକ୍ଷରୁ ଏକ ଫେୟାରନେସ୍ ବ୍ଲିଚ୍ ଫେମ୍ ଆଡ ଜାରି କରାଯାଇଥିଲା। ସାଧାରଣତଃ କରବାଚୌଥରେ ସ୍ୱାମୀର ଲମ୍ବା ଆୟୂଷ ପାଇଁ ସ୍ତ୍ରୀ ବ୍ରତ ଧାରଣ କରୁଥିବା ବେଳେ ଏହି ବିଜ୍ଞାପନରେ ରିଲେସନ୍ରେ ଥିବା ୨ ମହିଳାଙ୍କୁ ଦର୍ଶାଯାଇଛି। ବିଜ୍ଞାପନରେ ଜଣେ ମହିଳା ନିଜ ମୁହଁରେ ଏହି ପ୍ରଡକ୍ଟ ବ୍ୟବହାର କରୁଥିବା ବେଳେ ଏହା ଗୋଲଡେନ ଗ୍ଲୋ ଦେବ ବୋଲି କୁହାଯାଉଛି। ଏହାପରେ ଜଣେ ବୟସ୍କା ମହିଳା ଆସି ୨ ମହିଳାଙ୍କୁ ନୂଆ ଶାଢି ଦେବା ସହ ବ୍ଲିଚ୍ ଲଗାଇଥିବା ମହିଳା ଏହି ଶାଢିରେ ଚାନ୍ଦ ପରି ଦେଖାଯିବେ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ଏହାପରେ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ସାଧାରଣତଃ ମହିଳାମାନେ ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ଏହି ବ୍ରତ ଶେଷ କରିଥାନ୍ତି। ମାତ୍ର ବିଜ୍ଞାପନରେ ୨ ମହିଳା ପରସ୍ପରକୁ ପାଣି ପିଆଇ ବୟସ୍କା ମହିଳାଙ୍କ ଆର୍ଶିବାଦ ନେଉଥିବା ଦେଖିବାକୁ ମିଳିଛି।
ଏହା ଭାରତୀୟ ସଂସ୍କୃତି ବିରୋଧି ହୋଇଥିବା ଅଭିଯୋଗ ଆଣି ଏଥିପାଇଁ କମ୍ପାନୀକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ଶେଷରେ କମ୍ପାନୀ ପକ୍ଷରୁ ଏହି ଆଡ୍କୁ ହଟାଇ ଦିଆଯାଇଥିଲା।
The post ଡାବରର ସମଲିଙ୍ଗି ବିଜ୍ଞାପନକୁ ନେଇ ତୁମ୍ବି ତୋଫାନ; ବିଚାରପତି କହିଲେ, ମାନସିକତାରେ ପରିବର୍ତ୍ତନ ଜରୁରୀ appeared first on Odisha Reporter.
from Odisha Reporter https://ift.tt/2ZPGOhs
No comments:
Post a Comment