ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ନିଜ ବୟାନ ବଦଳାଇଛନ୍ତି। ପୂର୍ବରୁ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ଦରକାର ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।
ବର୍ତ୍ତମାନ ଅଖିଲେଶ ଯାଦବ ଆଜମଗଡ଼ର ଲୋକସଭା ସାଂସଦ ରହିଛନ୍ତି। ଯଦି ସେ ବିଧାନସଭା ନିର୍ବାଚନ ଲଢ଼ିବେ, ତା’ହେଲେ ଏହି ଆସନ ତାଙ୍କୁ ଛାଡ଼ିବାକୁ ପଡ଼ିବ। ଅଖିଲେଶ ନିର୍ବାଚନ ନଲଢ଼ିବା ସମ୍ପର୍କରେ ଦେଇଥିବା ବୟାନକୁ ବିଭିନ୍ନ ଗଣମାଧ୍ୟମ ଟ୍ୱିଷ୍ଟ କରି ପ୍ରସାରଣ କରିଥିଲା ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ମୋ ବୟାନକୁ ଟ୍ୱିଷ୍ଟ କରାଯାଇଛି। ଯଦି ସମାଜବାଦୀ ପାର୍ଟି ନିଷ୍ପତ୍ତି ନେବ, ତା’ହେଲେ ମୁଁ ନିର୍ବାଚନ ଲଢ଼ିବି। ମୁଁ ବିଜେପିର ମୂଳପୋଛ ଚାହେଁ। ହାଥରସ ଗଣଦୁଷ୍କର୍ମ, ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ଘଟଣା ଓ କାସଗଞ୍ଜ ହାଜତ ମୃତ୍ୟୁ ବିଜେପି ସରକାରଙ୍କୁ ହଟାଇବାର ଗୋଟିଏ ଗୋଟିଏ କାରଣ।
ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଗୁଣ୍ଡାରାଜ ଫେରିବ ବୋଲି ବିଜେପି କହୁଛି। ହେଲେ ବିଜେପି କ’ଣ ଜାଣିନି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ କେତେ କେସ୍ ରହିଛି?”
ସୂଚନାଯୋଗ୍ୟ, ନିକଟରେ ପିଟିଆଇ ତାଙ୍କ ବୟାନକୁ ଆଧାର କରି ଅଖିଲେଶ ଯାଦବ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖବର ପ୍ରସାରଣ କରିଥିଲେ। ତେବେ ଏହାପରେ ଦଳର ଜଣେ ବରିଷ୍ଠ ନେତା କହିଥିଲେ ଯେ “ଅଖିଲେଶ ଯାଦବ ନିର୍ବାଚନ ଲଢ଼ିବେ କି ନାହିଁ ସେକଥା ଦଳ ବିଚାର କରିବ। ସମସ୍ତେ ସମୟକୁ ଅପେକ୍ଷା କରନ୍ତୁ।” ଏବେ ଅଖିଲେଶ ନିଜ ବୟାନରେ ନୂଆ ଛୁଙ୍କ ଦେଇଛନ୍ତି।
୨୦୧୭ରେ ସମାଜବାଦୀ ପାର୍ଟିକୁ ଗାଦିଚ୍ୟୁତ କରି ବିଜେପି ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଦଳ ଏଠାରେ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ସପା ଏହାକୁ କଡ଼ ଟକ୍କର ଦେଉଛି।
The post ମତ ବଦଳାଇଲେ ଅଖିଲେଶ, ଦରକାର ପଡ଼ିଲେ ଲଢ଼ିବେ ନିର୍ବାଚନ appeared first on Odisha Reporter.
from Odisha Reporter https://ift.tt/3coGEjM
No comments:
Post a Comment