ଉଦଳା(ମାନସ ପାଣି): ଆଜି ବି ସଞ୍ଜ ନଇଁଲେ ଡିବିରି ଆଲୁବ ଭରସା। ଗାଁରେ ବଲ୍ ଗୋଟିଏ ଜଳିନି। ଏଯାଏ ହୋଇନି ବିଦ୍ୟୁତ୍ ସଂଯୋଗ । ବହୁ ବିକ୍ଷୋଭ ପରେ ବିଦ୍ୟୁତ୍ ଖୁଣ୍ଟ ଗାଁରେ ପହଞ୍ଚି ଥିଲେ ବି ତାହା ଅଧା ପଡ଼ି ରହିଛି। ନା ହେଉଛି ସଂଯୋଗ, ନା ଜଳୁଛି ବଲ୍। ହେଲେ ଆସୁଛି ବିଲ୍। ଏପରି ଅସ୍ୱାଭାବିକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗରସାହି ଗ୍ରାମରେ ଘଟିଥିବା ବେଳେ ତାତିଛନ୍ତି ଲୋକ ।
ସାଗରସାହି ଗ୍ରାମରେ ପ୍ରାୟ ୪୦ ପରିବାର ରୁହନ୍ତି। ଏହି ଗାଁକୁ ଆଜି ଯାଏ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ। ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ବାରମ୍ବାର ଧାରଣା, ବିକ୍ଷୋଭ ପରେ ତରଳିଲା ବିଭାଗ । ବିଭାଗ ପକ୍ଷରୁ ଗାଁକୁ ବିଦ୍ୟୁତ୍ ଖୁଣ୍ଟ ପଠାଯାଇଛି। ମାତ୍ର ପ୍ରାୟ ଦେଢ ବର୍ଷ ହେବ ଏହାକୁ ପୋତା ଯାଇ ତାର ଟଣା ଯାଉନି । ଫଳରେ ପୂର୍ବରୁ ଯେଉଁ ଅନ୍ଧାରରେ ଥିଲେ, ଏବେ ବି ସେହି ଅନ୍ଧାରରେ ରହିଛନ୍ତି ଗ୍ରାମବାସୀ। ହେଲେ ଇତି ମଧ୍ୟରେ ସେମାନଙ୍କ ନିକଟକୁ ବାରମ୍ବାର ବିଲ୍ ଆସୁଛି।
ବିଦ୍ୟୁତ୍ ସଂଯୋଗ ନ ହୋଇ ବି ବିଲ୍ କିପରି ଆସୁଛି, ସେ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ବିଭାଗ ନୀରବଦ୍ରଷ୍ଟା। ଶେଷରେ ତାତିଲେ ଗ୍ରାମବାସୀ। ଆଜି ସକାଳୁ ଏହି ସମସ୍ୟାର ସମାଧାନ କରିବାକୁ ରାସ୍ତା ଉପରକୁ ଓହ୍ଲାଇଛନ୍ତି ସାଗରସାହି ଗ୍ରାମବାସୀ।
ପ୍ରତିବାଦରେ ଆଜି ସକାଳୁ ଉତ୍ତ୍ୟକ୍ତ ଗ୍ରାମବାସୀ କପ୍ତିପଦା – ଠାକୁରମୁଣ୍ଡା ରାସ୍ତା ପଥରଖଣି ଛକଠାରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜିଦ୍ରେ ଅଡ଼ି ବସିଥିଲେ ଗ୍ରାମବାସୀ।
ଏହାପରେ ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମାସେ ଭିତରେ ସବୁ ସମସ୍ୟା ସମାଧାନ କରାଯାଇ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଉକ୍ତ ବିଲ୍କୁ ସଂଶୋଧନ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ପ୍ରତ୍ୟାହାର କରିଛନ୍ତି ଗ୍ରାମବାସୀ। ଏଥିସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।
The post ଗାଁରେ ଜଳୁନି ଗୋଟିଏ ବି ବଲ୍, ହେଲେ ଆସୁଛି ବିଲ୍; ତାତିଲେ ଲୋକ appeared first on Odisha Reporter.
from Odisha Reporter https://ift.tt/3wYzVXb
No comments:
Post a Comment