ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ। ସେ ଆଜି ଭବାନୀପାଟଣାରେ ଆୟୋଜିତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚରେ ବସିବେ ବୋଲି ଜଣାପଡ଼ିଛି। ସେ ଖାଲି ମଞ୍ଚରେ ବସିବେ ନାହିଁ, ଭାଷଣ ମଧ୍ୟ ଦେବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେବେ। ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଅଭିଭାଷଣ ଦେବା ପାଇଁ ତିନି ନମ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ରହିଛି। ଚାରି ନମ୍ବରରେ ନବ ଦାସ ଭାଷଣ ଦେବେ। ତା’ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଛି। ଆଉ ଶେଷରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ରହିଛି।
ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ତେବେ ଏହି ଦୁଇ ନେତା ଯୋଗ ଦେବେ ନାହିଁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଞ୍ଚରେ ବସିବାର କାର୍ଯ୍ୟକ୍ରମ ରହିଥିବାରୁ ଉଭୟ ବସନ୍ତ ଓ ପ୍ରଦୀପ୍ତ ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ସେମାନେ ଏହି ସଭାକୁ ବର୍ଜନ କରିବେ ବୋଲି କହିଛନ୍ତି।
ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାଗସ୍ତକୁ ବିରୋଧ କରାଯିବ। ଏମିତିକି କଳାପତାକା ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିଜେପିର ବିରୋଧକୁ ଦୃଷ୍ଟିରେ ରଖି ପୁଲିସ୍ ଆଗୁଆ ପଦକ୍ଷେପ ନେଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ବିଜେପି କର୍ମୀମାନଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ କେବଳ କଳହାଣ୍ଡି ନୁହେଁ, ଆଜି ବିଜେପି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ କରାଯିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଠାରୁ ବିଜେପି ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ନ୍ୟାୟ ଶୋଭାଯାତ୍ରା ଆରମ୍ଭ ହୋଇଛି, ଯାହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।
The post ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସିବେ ଦିବ୍ୟଶଙ୍କର, ସଭା ବର୍ଜନ କରିବେ ବସନ୍ତ ଓ ପ୍ରଦୀପ୍ତ appeared first on Odisha Reporter.
from Odisha Reporter https://ift.tt/3qfmq45
No comments:
Post a Comment