ନୂଆଦିଲ୍ଲୀ: ନୂଆ କରି ଟ୍ୱିଟରର ସିଇଓ ହୋଇଥିବା ପରାଗ ଅଗ୍ରୱାଲ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱରେ ଥିବା ୫୦୦ ଟପ୍ ୫୦୦ କମ୍ପାନୀର ସିଇଓଙ୍କ ମଧ୍ୟରେ ୩୭ ବର୍ଷୀୟ ପରାଗ ସର୍ବକନିଷ୍ଠ। ଏହାର ଅର୍ଥ ଅଗ୍ରୱାଲ ବହୁତ କମ ବୟସରେ ଟ୍ୱିଟର ଭଳି ସଂସ୍ଥାର ସିଇଓ ହୋଇପାରିଛନ୍ତି।
ସୋମବାର ଟ୍ୱିଟରର ସିଇଓ ଭାବେ ପରାଗ ଅଗ୍ରୱାଲଙ୍କୁ ନିଯୁକ୍ତି ମିଳିଥିଲା। ଏହାପୂର୍ବରୁ ଜ୍ୟାକ ଡୋର୍ସେ ଏହି ପଦରେ କାମ କରୁଥିଲେ। କିନ୍ତୁ ସେ ସିଇଓ ପଦରୁ ହଠାତ୍ ଇସ୍ତଫା ଦେବାକୁ କମ୍ପାନୀ ୩୭ ବର୍ଷୀୟ ପରାଗଙ୍କୁ ସିଇଓ କରିଛି। ପରାଗଙ୍କ ବୟସ ଯେତିକି ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗଙ୍କ ବୟସ ମଧ୍ୟ ସେତିକି। ଅର୍ଥାତ ଜୁକରବର୍ଗଙ୍କୁ ମଧ୍ୟ ୩୭ ବର୍ଷ। ସୁରକ୍ଷା ଦୃଷ୍ଟି କୋଣରୁ ଟ୍ୱିଟର ପରାଗ ଅଗ୍ରୱାଲଙ୍କ ଜନ୍ମ ତାରିଖ ସାର୍ବଜନୀନ କରିନି।
କିନ୍ତୁ ସେ ୧୯୮୪ର ଶେଷ ଭାଗରେ ଜନ୍ମ ଗ୍ରହଣ କରିଥିବା ଜଣାପଡ଼ିଛି। ମାର୍କ ଜୁକରବର୍ଗ ୧୪ ମେ’ ୧୯୮୪ରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ହିଁ ପରାଗ ଜନ୍ମ ଗ୍ରହଣ କରିଛନ୍ତି।
ସେହିପରି Berkshire Hathaway Inc.ର ସିଇଓ ୱାରେନ ବୁଡ଼ଫେଟ୍ଟ ସବୁଠାରୁ ବୟସ୍କ ସିଇଓ। ତାଙ୍କୁ ୯୧ ବର୍ଷ ହୋଇଥିଲେ ମଧ୍ୟ ସେ ସିଇଓ ଭାବେ କାମ କରୁଛନ୍ତି। ବିଶ୍ୱର ୫୦୦ ବଡ଼ କମ୍ପାନୀଗୁଡ଼ିକର ସିଇଓଙ୍କ ହାରାହାରି ବୟସକୁ ବିଚାରକୁ ନେଲେ ଏହା ୫୮ ବର୍ଷ ରହିଛି।
ଷ୍ଟାନଫୋର୍ଡ ଗ୍ରାଜ୍ୟୁଏଟ ସ୍କୁଲ ଅଫ ବିଜନେର ପ୍ରଫେସର ତଥା ସିଇଓଙ୍କ ପ୍ରଦର୍ଶନ ଉପରେ ନଜର ରଖୁଥିବା ଡାଭିଡ ଲାରସକେର କହିଛନ୍ତି, “ମୁଁ ଭାବୁନି କମ୍ପାନୀର ସିଇଓ ହେବା ପାଇଁ ବୟସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷ କରି ଟ୍ୱିଟର ଓ ଫେସବୁକ ଭଳି କମ୍ପାନୀର ସିଇଓ ପାଇଁ କୌଣସି ବୟସର ପ୍ରାବଧାନ ନାହିଁ। ବରଂ କମ ବୟସ୍କ ବ୍ୟକ୍ତି ସିଇଓ ହେଲେ, ଏହା କମ୍ପାନୀ ପାଇଁ ଲାଭ ଦାୟକ।”
ଆଇଆଇଟି ବମ୍ବେରେ ଅଧ୍ୟୟନ କରିଥିବା ପରାଗ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ମାଇକ୍ରୋସଫ୍ଟ ଭଳି ବଡ଼ବଡ଼ କମ୍ପାନୀରେ କାମ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୱିଟରର ବିଦାୟୀ ସିଇଓ ଡୋର୍ସେ ହିଁ ପରାଗଙ୍କୁ ଟ୍ୱିଟର୍ରେ ନିଯୁକ୍ତି ଦେଇଥିଲେ। ପରାଗ ପ୍ରାୟ ୬ ବର୍ଷ ଟ୍ୱିଟର୍ରେ ଜଣେ ସାଧାରଣ କର୍ମଚାରୀ ଭାବେ କାମ କରିଥିଲେ। ଏହାପରେ ତାଙ୍କୁ ୨୦୧୭ରେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ସିଧା ସିଇଓ ହୋଇଛନ୍ତି।
ଅନ୍ୟପକ୍ଷରେ ଡୋର୍ସେ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କମ୍ପାନୀର ବୋର୍ଡ ସଦସ୍ୟ ଭାବେ କାମ କରିବେ। ୨୦୨୨ରେ ତାଙ୍କର ଟ୍ୱିଟର ସହ ହୋଇଥିଲା ଡିଲ୍ ଶେଷ ହେବ। ତେଣୁ ସେ ୨୦୨୨ ଶେଷ ଯାଏ ବୋର୍ଡର ସଦସ୍ୟ ଭାବେ କାମ କରିବେ।
The post ଟପ୍ ୫୦୦ କମ୍ପାନୀର ସିଇଓଙ୍କ ମଧ୍ୟରେ ପରାଗ ଅଗ୍ରୱାଲ ସର୍ବକନିଷ୍ଠ appeared first on Odisha Reporter.
from Odisha Reporter https://ift.tt/3d7fGNK
No comments:
Post a Comment