ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବଜ୍ରକାପ୍ତା କାତି ବିକ୍ରି ପାଇଁ ଚାଲିଥିଲା ଡିଲ୍। ଖୋର୍ଦ୍ଧା ବନଖଣ୍ଡ ଟିମ୍ ଅତର୍କିତ ଭାବରେ ଚଢ଼ାଉ କରି ୪କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି। ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫଦାରୀ ବେଳେ ବନ କର୍ମଚାରୀଙ୍କ ସହିତ ଅଭିଯୁକ୍ତମାନଙ୍କର ଧସ୍ତାଧସ୍ତି ହୋଇଥିଲା। ତେବେ ସବୁ ପ୍ରତିରୋଧ ସତ୍ତ୍ୱେ ଖୋର୍ଦ୍ଧା ବନଖଣ୍ଡ ଟିମ୍ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।
ସୂଚନାଯୋଗ୍ୟ, ଗତ ତିନି ଦିନ ହେଲା ଖୋର୍ଦ୍ଧା ବନଖଣ୍ଡ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପ୍ରଥମେ ଅଭିଯୁକ୍ତମାନେ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା କରିଥିଲେ। ଗତକାଲି ବଜ୍ରକାପ୍ତାଟି ମରିଯିବା ପରେ ମୃତ ବଜ୍ରକାପ୍ତା ଦେହରୁ କାତିକୁ ବାହାର କରି ଏକ ସିମେଣ୍ଟ ଅଖା ଭିତରେ ପୁରେଇ ବନ ବିଭାଗର କର୍ମଚାରୀଙ୍କୁ ବିକ୍ରି କରିବା ଯୋଜନା କରିଥିଲେ। ଏମାନେ ବନ ବିଭାଗ କର୍ମୀଚାରୀ ସେମାନେ ଜାଣି ନଥିଲେ।
ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ ଗଠନ ହୋଇଥିଲା। ପ୍ରଥମ ଟିମରେ ଖୋର୍ଦ୍ଧା ଏସିଏଫ ଅରବିନ୍ଦ ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱବାଧାରକ ଶୁଭେନ୍ଦୁ ମଲ୍ଲିକ ବେପାରୀ ହୋଇ ବଜ୍ରକାପ୍ତା କାତି କିଣିବା ପାଇଁ ମୂଲଚାଲ କରିବା ପାଇଁ ଯାଇଥିଲେ। ଦ୍ୱିତୀୟଟିରେ ଖୋର୍ଦ୍ଧା ଏସିଏଫ ଗୋବିନ୍ଦ ବିଶ୍ୱାଳ ନିଜ ଟିମ୍ ଧରି ପ୍ରଥମ ଟିମକୁ କଭର କରି ରହିଥିଲେ। ତୃତୀୟ ଟିମରେ ଖୋର୍ଦ୍ଧା ରେଞ୍ଜର ଅସିତ ମିଶ୍ର ଖଣ୍ଡେ ଦୂରରେ ନିର୍ଦ୍ଦେଶ ମିଳିବା ମାତ୍ରେ ଚଢ଼ାଉ କରିବା ପାଇଁ ଅପେକ୍ଷା କରି ରହିଥିଲେ ।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ଦୁଇ ଜଣ କିଛି ସହଯୋଗୀଙ୍କ ସହିତ ଏକ ସିମେଣ୍ଟ ଅଖାରେ ବଜ୍ରକାପ୍ତା କାତି ଆଣି ଅରବିନ୍ଦ ମହାନ୍ତିଙ୍କ ଟିମ୍କୁ ଦେଖାଇଥିଲା। ଏହି ସମୟରେ ଖୋର୍ଦ୍ଧା ଏସିଏଫ ଗୋବିନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା। ତେବେ ଜଣେ ଅଭିଯୁକ୍ତ ଧାନ ବିଲରେ ପଶି ଦୌଡ଼ି ପଳେଇବାକୁ ପାଇଁ ଚେଷ୍ଟା କରିଥିଲା। ତାକୁ ଉପରକୁ ଆଣିବା ପାଇଁ ଅନେକ କସରତ କରିବାକୁ ପଡିଥିଲା ।
The post ଗରାଖ ସାଜି ଯାଇଥିଲେ ବନ କର୍ମଚାରୀ, ସୁଯୋଗ ଦେଖି ମାଡି ବସିଲେ appeared first on Odisha Reporter.
from Odisha Reporter https://ift.tt/3nll320
No comments:
Post a Comment