ଗୌହାଟୀ: ମିଜୋରାମ ମୁଖ୍ୟମନ୍ତ୍ରୀ ପିୟୁ ଜୋରାମଥାଙ୍ଗା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଲେଖିଥିବା ଚିଠି ଏବେ ଚର୍ଚ୍ଚାରେ ରହିଛି। ମିଜୋରାମର ମନ୍ତ୍ରୀମାନେ ହିନ୍ଦୀ ବୁଝି ପାରନ୍ତି ନାହିଁ। କିଛି ଲୋକଙ୍କୁ ଇଂରାଜୀ ମଧ୍ୟ ଜଣାନାହିଁ। ତେଣୁ କେନ୍ଦ୍ର ସରକାର ମିଜୋରାମ ପାଇଁ ନିଯୁକ୍ତ କରିଥିବା ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇ ଦିଅନ୍ତୁ।
ରେଣୁ ଶର୍ମାଙ୍କ ବଦଳରେ ଏବେ ଅତରିକ୍ତ ଶାସନ ସଚିବ ଭାବେ କାମ କରୁଥିବା ଜେସି ରାମଥାଙ୍ଗାଙ୍କୁ ଉକ୍ତ ପଦରେ ନିଯୁକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଚିଠିରେ ଉଲ୍ଲେଖ କରିଛନ୍ତି। ମିଜୋ ଭାଷା ଜାଣି ନଥିବା ଅଧିକାରୀ କେବେ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ସେ ଚିଠିରେ କହିଛନ୍ତି, “ମୋ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଥିବା ଗୁଜରାଟ କ୍ୟାଡର ଲାଲନୁନମାୱି ଚଉଗୋ ଅବସର ନେବା ପରେ ମୁଁ ମଣିପୁର କ୍ୟାଡର ତଥା ଅତରିକ୍ତ ଶାସନ ସଚିବ ଭାବେ କାମ କରୁଥିବା ଜେସି ରାମଥାଙ୍ଗାଙ୍କୁ ଉକ୍ତ ପଦରେ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲି।
କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରେଣୁ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛି। ହେଲେ ମୋ ସରକାରରେ ଥିବା ମନ୍ତ୍ରୀମାନେ ହିନ୍ଦୀ ବୁଝି ପାରନ୍ତି ନାହିଁ। ଇଂରାଜୀ ମଧ୍ୟ ଅନେକ ଲୋକଙ୍କୁ ଆସେନି। ତେଣୁ ଏପରି ସ୍ଥିତିରେ ରାଜ୍ୟର କାମ କେମିତି ହେବ? ମିଜୋ ଭାଷା ଜାଣି ନଥିବା ଅଧିକାରୀଙ୍କ ସହ କାମ ହୋଇପାରିବ ନାହିଁ।
ଏହି କାରଣ ପାଇଁ ମିଜୋରାମ ଗଠନ ହେବା ଦିନ ଠାରୁ କେବେ ହେଲେ କେନ୍ଦ୍ର ସରକାର ମିଜୋ ଭାଷା ଜାଣି ନଥିବା ଅଧିକାରୀଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇନାହାନ୍ତି। କେବେଳ ମିଜୋରାମ ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ସ୍ଥାନୀୟ ଭାଷା ସହ ସମ୍ପର୍କ ରଖି ନଥିବା ଅଧିକାରୀ କେବେ ହେଲେ ଉଚ୍ଚ ପଦରେ ନିଯୁକ୍ତି ପାଇ ନାହାନ୍ତି। ୟୁପିଏ ଓ ଏନଡିଏ ସରକାର ପୂର୍ବରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଥିଲେ।”
ସେ ଏନଡିଏର ଜଣେ ବିଶ୍ୱାସଯୋଗ୍ୟ ସହଯୋଗୀ ଆରମ୍ଭରୁ ରହି ଆସିଛନ୍ତି। ତେଣୁ ଶ୍ରୀ ଶାହ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ବଦଳାଇବେ ବୋଲି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଚିଠିରେ କହିଛନ୍ତି।
ଅକ୍ଟୋବର ୨୮ରେ କେନ୍ଦ୍ର ସରକାର ୧୯୮୮ ବ୍ୟାଚର ଏଜିଏମୟୁଟି କ୍ୟାଡର ଆଇଏଏସ୍ ରେଣୁ ଶର୍ମାଙ୍କୁ ମିଜୋରାମର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଥିଲେ। ନଭେମ୍ବର ୧ରୁ ତାଙ୍କୁ ଦାୟିତ୍ୱ ନେବାକୁ କୁହାଯାଇଥିଲା। ସେହିଦିନ ମିଜୋରାମ ସରକାର ଜେସି ରାମଥାଙ୍ଗାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନଭେମ୍ବର ୧ରୁ କାମ କରିବାକୁ କହିଥିଲେ। ଏହାର ଅର୍ଥ ଏବେ ମିଜୋରାମରେ ଦୁଇ ଜଣ ମୁଖ୍ୟ ଶାସନ ସଚିବ ରହିଛନ୍ତି।
The post “ମୋ ମନ୍ତ୍ରୀମାନେ ହିନ୍ଦୀ ବୁଝନ୍ତି ନାହିଁ, ମୁଖ୍ୟ ଶାସନ ସଚିବଙ୍କୁ ବଦଳାଅ” appeared first on Odisha Reporter.
from Odisha Reporter https://ift.tt/3C13QPr
No comments:
Post a Comment