ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଥମିବାର ନାଁ ଧରୁନି। ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଛନ୍ତି। ଆଜି ଏ ସମ୍ପର୍କରେ ଦିଲ୍ଲୀର ଶିକ୍ଷା ବିଭାଗ ଘୋଷଣା କରିଛି।
ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। ଆଜି ଏହି ଅବଧି ଶେଷ ହେଉଥିବା ବେଳେ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବାର ଥିଲା। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଆଜି ସ୍କୁଲ ଗୁଡ଼ିକୁ ପରବର୍ତ୍ତୀ ନୋଟିସ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପୂର୍ବରୁ ପ୍ରଦୂଷଣକୁ କମ କରିବାକୁ ଲାଗିଥିବା କଟକଣାର ଅବଧି ରବିବାର(ଆଜି) ସରୁଛି। ତେଣୁ ଆଉ କ’ଣ କଟକଣା ଲାଗିବ ଓ ସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଉଛି।
ଆଜି ସକାଳ ୯ଟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୩୮୨ ରହିଛି। ଶନିବାର ଏହା ୩୭୪ ଥିଲା। ଅର୍ଥାତ ରବିବାର ସ୍ଥିତି ଅଧିକ ଜଟିଳ ହୋଇଛି। ପଡ଼ୋଶୀ ଫରିଦାବାଦରେ ଏକ୍ୟୁଆଇ ୩୪୭, ଗାଜିଆବାଦରେ ୩୪୪, ଗ୍ରେଟର ନୋଏଡାରେ ୩୨୨, ଗୁରୁଗ୍ରାମରେ ୩୪୫ ଓ ନୋଏଡାରେ ଏହା ୩୫୬ ରହିଛି।
ପ୍ରଦୂଷଣକୁ ହ୍ରାସ କରିବାକୁ ଦିଲ୍ଲୀ ସରକାର ଅଣଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ଟ୍ରକ୍ର ପ୍ରବେଶ ଉପରେ ରୋକ ଲଗାଇଥିଲେ। ସେହିପରି ୨୧ ତାରିଖ ଯାଏ ନିର୍ମାଣ କାମ ମଧ୍ୟ ବନ୍ଦ କରାଯାଇଥିଲା।
The post ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜଧାନୀରେ ବନ୍ଦ ହେଲା ସ୍କୁଲ appeared first on Odisha Reporter.
from Odisha Reporter https://ift.tt/3FDBEnN
No comments:
Post a Comment