ଭଦ୍ରକ(ପ୍ରାର୍ଥ ସାରଥି ନାୟକ): ଅସହ୍ୟ ଯନ୍ତ୍ରଣାରେ ଛଟ୍ପଟ୍ ହେଉଥିଲା ଝିଅ। ଖବର ପାଇ ଥୟ ଧରିଲାନି ବାପା। ଝିଅକୁ କଟକ ମେଡିକାଲ ନେଇ ଭଲ କରିବାକୁ ଗାଁକୁ ଫେରୁଥିଲା। ହେଲେ ସହିଲାନି ଦଇବ। ଘରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ।
ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ ଧକ୍କାରେ ତିନି ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାସୁଦେବପୁର ଥାନା ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା, ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର। ଦୈତାରି, ପ୍ରକାଶ ଧାମରା ଅଞ୍ଚଳରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଦୁଃଶାସନ ଧାମରା ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୈତାରି, ପ୍ରକାଶ ଓ ଦୁଃଶାସନ ଏକ ବାଇକ୍ରେ ଧାମରାରୁ ଚଣ୍ଡିଗାଁକୁ ଯାଉଥିଲେ। ଦୁଃଶାସନଙ୍କୁ ଚଣ୍ଡିଗାଁରେ ଛାଡ଼ି ସେମାନେ ଏଡତାଳ ଫେରିଥାନ୍ତେ। ହେଲେ ସାବରଙ୍ଗ ହାଇସ୍କୁଲ ନିକଟରେ ସେମାନଙ୍କୁ ଟ୍ରକ୍ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ଦୁଃଶାସନଙ୍କ ଭାଉଜ କହିଛନ୍ତି, ଦୁଃଶାସନଙ୍କ ଝିଅ ଦେହ ଖରାପ ଥିଲା ବୋଲି ସେ ଗତକାଲି ରାତିରେ ଧାମରାରୁ ଘରକୁ ଫେରୁଥିଲେ। ଆଜି ଝିଅକୁ କଟକ ନେଇ ଯାଇଥାନ୍ତେ। ମାତ୍ର ତା’ ଆଗରୁ ସେ ଆଖି ବୁଜିଦେଲେ।
The post ମେଡିକାଲ ଯିବାକୁ ଅନାଇ ବସିଥିଲା ଝିଅ,ବାଟରେ ଚାଲିଗଲା ବାପାର ଜୀବନ appeared first on Odisha Reporter.
from Odisha Reporter https://ift.tt/3oUPKvw
No comments:
Post a Comment