ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ଜଣଙ୍କ ପରେ ଜଣେ ଓମିକ୍ରନରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ମହାରାଷ୍ଟ୍ରରୁ ପୁଣି ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇର ହୋଇଥିବା ବେଳେ ଜଣେ ବସାଇ ବିରାରରେ ରୁହନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ମୁମ୍ବାଇର ୭ ଜଣ ଲୋକ ବିଦେଶ ଗସ୍ତ କରି ନଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବେଙ୍ଗାଲୁରୁରୁ ଓ ଆଉ ଜଣେ ଦିଲ୍ଲୀରୁ ଫେରିଥିଲେ। ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଲେ ଆଉ କେହି ବି କରୋନା ଟିକା ନେଇ ନଥିଲେ। ତେଣୁ ପ୍ରଶାସନ ଏବେ ଲୋକଙ୍କୁ କରୋନା ବିରୋଧୀ ଟିକା ନେବାକୁ ପରାମର୍ଶ ଦେଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୮କୁ ବଢ଼ିଥିବା ବେଳେ ଦେଶରେ ଏହା ୫୭ ଛୁଇଁଛି। ୮ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବୟସ ୨୪ରୁ ୪୧ ବର୍ଷ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର କୌଣସି ଲକ୍ଷଣ ନଥିବା ବେଳେ ୫ ଜଣଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଇଛି।
ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ପୁରୁଷ ରହିଛନ୍ତି। ୨ ଜଣ ହସ୍ପିଟାଲରେ ରହିଥିବା ବେଳେ ୬ ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଏଯାଏ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୨୮ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ମୁମ୍ବାଇର ହୋଇଥିବା ବେଳେ ୧୦ ଜଣ ପିମ୍ପିର ଛିନ୍ଦୱାଡା, ପୁଣେରୁ ୨ ଜଣ, କଲ୍ୟାଣ, ନାଗପୁର, ଲାଠୁର ଓ ବସାଇ ବିରାରରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି।
ଆଶ୍ୱସ୍ତିର ବିଷୟ ହେଉଛି ଯେ ୨୮ ଜଣଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଏବେ ସକ୍ରିୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଛି।
The post ବିଦେଶ ଗସ୍ତ ନ କରି ବି ୭ ଜଣ ଓମିକ୍ରନରେ ଆକ୍ରାନ୍ତ, ସଂଖ୍ୟା ୫୭କୁ ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/30staRL
No comments:
Post a Comment