ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିବାହ ଋତୁ ଚାଲିଛି। ମହାମାରୀ କରୋନାର କୋପ ସାମାନ୍ୟ କମିଥିବାରୁ ଲୋକମାବେ ବେଶ ଧୂମଧାମରେ ବାହାଘର କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଏବେ ଓମିକ୍ରନ ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନଭେମ୍ବର ୧୪ରୁ ଡିସେମ୍ବର ୧୩ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରେ ୨୫ ଲକ୍ଷ ବାହାଘର ହେବ।
କିଛି ବାହାଘର ସରିଥିବା ବେଳେ ଆଗକୁ ମଧ୍ୟ ଅନେକ ଲୋକଙ୍କ ବାହାଘର ହେବ। ଏହା ମଧ୍ୟରୁ କେବଳ ଦିଲ୍ଲୀ ଏନସିଆର ରିଜନରେ ଦେଢ଼ ଲକ୍ଷ ବାହାଘର ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜିକାଲି ବାହାଘର ବେଳେ କୋଭିଡ ନିୟମର ପାଳନ କରାଯାଉନି। ଲୋକମାନେ ବିନା ମାସ୍କ ଓ ସାମାଜିକ ଦୂରତାକୁ ଫୁ’ କରି ବାହାଘର କାର୍ଯ୍ୟକ୍ରମ କରୁଛନ୍ତି।
ପୁଲିସ୍ ଓ ପ୍ରଶାସନ ମଧ୍ୟ ଆଗ ଭଳି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ ଏପରି ନିୟମ ଉଲ୍ଲଙ୍ଘନ ଆଗାମୀ ଦିନରେ ବଡ଼ଧରଣର ବିପଦକୁ ଟାଣି ଆଣିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେମାନେ କହିଛନ୍ତି ଯେ ଗେଷ୍ଟ ହାଉସ୍ ଓ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ବାହାଘରରେ କୋଭିଡ୍ ମାନଦଣ୍ଡକୁ କେହି ବି ପାଳନ କରୁନାହାନ୍ତି। ଏହା ବଢ଼ୁଥିବା ଓମିକ୍ରନ୍ ଭାରିଆଣ୍ଟର ବିପଦ ମଧ୍ୟରେ ବଡ଼ ସମସ୍ୟା ସୃଷ୍ଟି କରିପାରେ।
ସେମାନଙ୍କ ମତରେ ଲୋକମାନେ ଏବେ ଅନେକ ସ୍ଥାନରେ ଭିଡ଼ କରୁଛନ୍ତି। ଦୋକାନ ବଜାର ଠାରୁ ଆରମ୍ଭ କରି ମାର୍କେଟରେ କୋରନା ନିୟମର ଧଜିଆ ଉଡ଼ୁଛି। ଏଭଳି ପରିସ୍ଥିତିରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ଯଦିଓ ଦିଲ୍ଲୀ-ଏନସିଆର ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ସଂକ୍ରମଣ ହ୍ରାସ ପାଇଛି, ତଥାପି ଓମିକ୍ରନ୍ ବିପଦ ସୃଷ୍ଟି କରିଥିବାରୁ ପ୍ରଶାସନ କୌଣସି ରିସ୍କ ନେବା କଥା ନୁହେଁ। ଯଥାସମ୍ଭବ ଭିଡ଼ କମ କରିବା ସପକ୍ଷରେ ସେମାନେ ମତ ଦେଇଛନ୍ତି।
ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଏମସି ମିଶ୍ର କହିଛନ୍ତି ଯେ ପାର୍ବଣ ପରେ ବିବାହର ଏହି ଋତୁ ଅର୍ଥନୀତିକ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଭଲ। କାହାକୁ ବି ବିବାହ ପାଇଁ ବାରଣ କରାଯାଇପାରିବ ନାହିଁ। କିନ୍ତୁ କୋଭିଡର ଉଚିତ ବ୍ୟବହାର ସହ ମଧ୍ୟ ବୁଝାମଣା କରିବା କଥା ନୁହେଁ। ନିୟମ ଉଲ୍ଲଙ୍ଘନକୁ କୌଣସି ପ୍ରକାରର ଗ୍ରହଣ କରାଯିବା ଉଚିତ୍ ନୁହେଁ। ବାହାଘର ଓ ବରଯାତ୍ରୀ ବେଳେ ଫେସ ମାସ୍କ, ସାନିଟାଇଜର, ହ୍ୟାଣ୍ଡୱାସ୍ ଭଳି ମୌଳିକ ଜିନିଷର ବ୍ୟବହାର କରାଯାଉନି। ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।
କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଲୋକମାନେ ପୁଣିଥରେ ଅସାବଧାନ ହେଲେଣି। କିନ୍ତୁ ଆମକୁ ମନେ ରଖିବା ଉଚିତ ଯେ ଡେଲ୍ଟା ଭାରିଆଣ୍ଟ ସମୟରେ ହଠାତ୍ ସଂକ୍ରମଣ ବୃଦ୍ଧି ପାଇଥିଲା। ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେବା ସହ ଅନେକ ପ୍ରାଣ ହରାଇଥିଲେ। ତେଣୁ ଆଗକୁ ଓମିକ୍ରନ ଆସୁଛି। ଏପରି ସ୍ଥିତିରେ ଆମେ କୌଣସି ପ୍ରକାରର ଅବହେଳା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
The post ଓମିକ୍ରନ ଭୟ: ମାସେ ଭିତରେ ୨୫ ଲକ୍ଷ ବାହାଘର ସାଜିପାରେ ବିପଦର କାରଣ appeared first on Odisha Reporter.
from Odisha Reporter https://ift.tt/3lxMsfP
No comments:
Post a Comment