ମାଲକାନଗିରି (ଓଡ଼ିଶା ରିପୋର୍ଟର): ଗର୍ଭଯନ୍ତ୍ରଣା ଛଟପଟ ହେଉଥିଲେ ପ୍ରସୂତି। ପରିବାର ଲୋକେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ମହିଳା ଜଣଙ୍କ ଏଚ୍ଆଇଭି ପଜିଟିଭ ଜାଣିସାରିବା ପରେ ତାଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଡାକ୍ତର। ଆଉ ଚିକିତ୍ସା ନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହି ଫେରାଇ ଦେଇଥିଲେ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରୁ।
ଅଭିଯୋଗ ଅନୁସାରେ, ରବିବାର ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମହିଳା ଜଣଙ୍କ ଏଚ୍ଆଇଭି ପଜିଟିଭ ଜାଣିସାରିବା ପରେ ସେଠାକାର ଡାକ୍ତର ତାଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସଟିଏ ଯୋଗାଇ ଦେବାକୁ କହିବାରୁ ଡାକ୍ତର ରୋକ୍ ଠୋକ୍ ମନା କରିଦେଇଥିଲେ। ସେମାନଙ୍କୁ ନିଜ ସୁବିଧାରେ ଯିବାକୁ କହି ଡାକ୍ତର ସେଠାରୁ ଚାଲି ଯାଇଥିଲେ। ଶେଷରେ ପରିବାର ଲୋକେ ଉକ୍ତ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନ ନେଇ ବାଇକ୍ରେ ବସାଇ ଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏବେ ମା’ ଓ ଛୁଆ ଉଭୟ ସୁସ୍ଥ ଥିବା ଜଣାଯାଇଛି।
ଆଶା କର୍ମୀ ସୁମିତ୍ରା ମହାନ୍ତି କହିଛନ୍ତି, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସୁବିଧା ନାହିଁ ବୋଲି ଡାକ୍ତର କହିଥିଲେ। ତା’ସହିତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିଲେ। ମହିଳାଙ୍କ ପରିବାର ଲୋକଙ୍କ ପାଖରେ ଟଙ୍କାପଇସା ନ ଥିବାରୁ ସେମାନେ ଘରକୁ ନେଇ ଆସିଥିଲେ। ମହିଳାଙ୍କ ପରିବାର ଲୋକେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ସନ୍ତାନ ହେବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ସେମାନଙ୍କୁ ସେଠାରେ ପଇସାପତ୍ର ମଗାଯାଇଥିଲା। ତେଣୁ ସେମାନେ ସେଠାକୁ ଯିବାକୁ ମନସ୍ଥ କଲେ ନାହିଁ।
ମାଲକାନଗିରି ସିଡିଏମ୍ଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି, ଏହି ଘଟଣା ବିଷୟରେ କୌଣସି ରିପୋର୍ଟ ମୋ ପାଖକୁ ଆସିନାହିଁ। ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାଷ୍ଠାନ ନିଆଯିବ।
The post ପ୍ରସୂତି ଏଚ୍ଆଇଭି ପଜିଟିଭ୍ ଜାଣି ଛୁଇଁବାକୁ ମନା କଲେ ଡାକ୍ତର! appeared first on Odisha Reporter.
from Odisha Reporter https://ift.tt/312OvRW
No comments:
Post a Comment