ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା । ମନ୍ଦିର ବେଢ଼ାରେ ଜଣେ ବରିଷ୍ଠ ସେବାୟତଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲେ ଜଣେ ନାବାଳକ ସେବାୟତ। ଡରାଇ, ଧମକାଇ ତାକୁ ବରିଷ୍ଠ ସେବାୟତ ଜଣଙ୍କ ଗତ ୨ ମାସ ହେଲା ଅସହ୍ୟ ଯୌନ ନିର୍ଯାତନା ଦେଇ ଆସୁଥିବା ପୀଡ଼ିତଙ୍କ ବାପା ତଥା ଜନୈକ ସେବାୟତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଆଜି ସକାଳେ ସମ୍ପୃକ୍ତ ବରିଷ୍ଠ ସେବାୟତଙ୍କୁ ଡାକି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି।
ପୀଡ଼ିତ ନାବାଳକଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି।
ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀମନ୍ଦିରର ଜନୈକ ସେବାୟତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପ୍ରତିବାଦ କଲେ ମନ୍ଦିର ଭିତରେ ମାଡ଼ ମାରିବାକୁ ଧମକ ବି ଦେଇଥିଲେ। ଭୟଭୀତ ହୋଇ ପୁଅ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ଉକ୍ତ ବରିଷ୍ଠ ସେବାୟତଜଣକ ସେଠାକୁ ଯାଇ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ।
ତାଙ୍କ କଥା ନ ମାନିଲେ ଶ୍ରୀମନ୍ଦିରରେ ପଶି ପାରିବନି ତଥା ସେ ମାଡ଼ ମାରିବେ ବୋଲି ଧମକ ଦେଇଥିଲେ। ସେହି ଦିନଠାରୁ ସେ ପୁଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏଥିସହ ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ନ୍ୟାୟ ଦାବି କରୁଥିବା ସେ କହିଛନ୍ତି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାର ପାଇଁ ସେ ସୁରକ୍ଷା ଲୋଡ଼ିଛନ୍ତି।
ଏନେଇ ସେ ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ତଦନ୍ତରେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି। ପୁଲିସ ବି ଚାହିଁଲେ ପୁଅର ବୟାନ ରେକର୍ଡ କରିପାରିବ ବୋଲି କହିଛନ୍ତି ସମ୍ପୃକ୍ତ ସେବାୟତ ।
ଏନେଇ ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଅଭିଯୋଗ ହୋଇଥିବାରୁ ତଦନ୍ତ ସକାଳୁ ଆରମ୍ଭ ହୋଇଛି। ଯାହା ନାମରେ ଅଭିଯୋଗ ହୋଇଛି, ତାଙ୍କୁ ଥାନାକୁ ଆଣି ପଚରାଉଚରା ଚାଲିଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।
The post ଶ୍ରୀମନ୍ଦିରରେ ଯୌନ ନିର୍ଯାତନା; ଲୋଲୁପ ଦୃଷ୍ଟିର ଶିକାର ହେଲେ ନାବାଳକ ସେବାୟତ appeared first on Odisha Reporter.
from Odisha Reporter https://ift.tt/3GurdUa
No comments:
Post a Comment