ଜେନେଭା: ଭାରତ ସମେତ ସାରା ବିଶ୍ୱରେ ଏବେ କରୋନାର ଓମିକ୍ରନ ଭାରିଏଣ୍ଟ ଆତଙ୍କ ସୃଷ୍ଟି କରିଛି। ଏହି ଭାରିଏଣ୍ଟର ସଂକ୍ରମଣ କ୍ଷମତା ସବୁଠାରୁ ଅଧିକ ଥିବାରୁ ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ସଂକ୍ରମଣ କ୍ଷମତାକୁ ନେଇ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଥିଲା। ଏବେ ସଂଗଠନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ପ୍ରକଟ କରିଛି।
କରୋନା ବିରୋଧୀ ଟିକାର ଅତିରିକ୍ତ ଡୋଜ୍ ଓମିକ୍ରନ ଭାରିଏଣ୍ଟରୁ ସୁରକ୍ଷା ଦେବାରେ ସହାୟକ ହେବ କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି। ତେଣୁ କୌଣସି ରାଷ୍ଟ୍ର ଟିକାର ଡୋଜ୍କୁ ସଂରକ୍ଷିତ କରି ନ ରଖନ୍ତୁ। ଏହା ବିଶ୍ୱ ଟିକା ସପ୍ଲାଏ ଚେନ୍ରେ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ଅନେକ ଦେଶ ଏବେ ଓମିକ୍ରନକୁ ଦୃଷ୍ଟିରେ ରଖି ଲୋକଙ୍କୁ ବୁଷ୍ଟର ବା ଅତିରିକ୍ତ ଡୋଜ୍ ଦେବାର ପ୍ରକ୍ରିୟା ଆରମ୍ଭ କରିଛି। କିଛି ଟିକା ଉତ୍ପାଦନକାରୀ କମ୍ପାନୀ ମଧ୍ୟ ଓମିକ୍ରନ ବିରୋଧରେ ବୁଷ୍ଟର ଡୋଜ୍ ସଫଳ ହେବ ବୋଲି କହୁଛନ୍ତି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଲଟା କଥା କହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟିକା ପରାମର୍ଶଦାତା କେଟ ଓ’ବ୍ରାଇନ କହିଛନ୍ତି, ଓମିକ୍ରନ କ’ଣ ପରିସ୍ଥିତି ସୃଷ୍ଟି କରିବ, ସେକଥା ଆମେ କେହିବି ଜାଣିନୁ। ଟିକାର ଅତିରିକ୍ତ ଡୋଜ୍ ଓମିକ୍ରନ ସଂକ୍ରମଣକୁ ରୋକି ପାରିବ କି ନାହିଁ, ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି। ତେଣୁ ଏପରି ସ୍ଥିତିରେ ଧନୀ ରାଷ୍ଟ୍ରମାନେ ଟିକାର ଡୋଜ୍ଗୁଡ଼ିକୁ ସଂରକ୍ଷିତ କରିବା ଆରମ୍ଭ କଲେଣି।
ଏହା କେବଳ ବିଶ୍ୱ ଟିକା ସପ୍ଲାଏ ଚେନକୁ ପ୍ରଭାବିତ କରିବ। ଏବେ ସାରା ବିଶ୍ୱରେ ଟିକାର ଅସମାନତା ଯୋଗାଣ ସମସ୍ୟା ସୃଷ୍ଟି କରିଛି। ତା’ ଉପରେ ଓମିକ୍ରନ ପାଇଁ କିଛି ଦେଶ ଟିକାର ହୋର୍ଡିଂ କଲେ ସ୍ଥିତି ଆହୁରି ଖରାପ ହେବ। ତେଣୁ ଅତିରିକ୍ତ ଡୋଜ୍ ପାଇଁ ଟିକାର ସଂରକ୍ଷଣ କୌଣସି ରାଷ୍ଟ୍ର ଏବେ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।
ବୁଧବାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଟିକାର ଅତିରିକ୍ତ ଡୋଜ୍ ଓମିକ୍ରନକୁ ମାତ ଦେବାକୁ ସକ୍ଷମ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ହିଁ କେଟ୍ ଏପରି ବୟାନ ଦେଇଛନ୍ତି।
ସେ କହିଛନ୍ତି, ଫାଇଜରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରୀକ୍ଷା କରୁଛି। ଯଦି ଅତିରିକ୍ତ ଡୋଜ୍ ଓମିକ୍ରନ ସଂକ୍ରମଣକୁ ରୋକିପାରିବ, ତା’ହେଲେ ଏହା ଏକ ଭଲ କଥା। କିନ୍ତୁ ଏହା ଉପରେ କୌଣସି ଚୂଡ଼ାନ୍ତ ତଥ୍ୟ ଆସିନି। ତେଣୁ ଅତିରିକ୍ତ ଡୋଜ୍ ଉପରେ ନିଷ୍ପତ୍ତି ନେବାକୁ ସମୟ ଆସିନି ବୋଲି ସେ କହିଛନ୍ତି। ଓମିକ୍ରନ ଭାରିଏଣ୍ଟ ଖୁବ ଦ୍ରୁତଗତିରେ ବ୍ୟାପୁଥିବାରୁ କେଟ୍ ସମସ୍ତଙ୍କୁ ସତର୍କ ରହିବାକୁ ମଧ୍ୟ କହିଛନ୍ତି।
The post ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ଚିନ୍ତା appeared first on Odisha Reporter.
from Odisha Reporter https://ift.tt/3GMrZfB
No comments:
Post a Comment