ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିଲା ହତ୍ୟାକାଣ୍ଡ । ସୁରାକ ଲିଭାଇବାକୁ ହତ୍ୟାକାରୀ ରଚିଥିଲା ସାଂଘାତିକ ଚାଲ୍। ଜଣେ ମହିଳାଙ୍କୁ ହତ୍ୟା ପରେ ପୋଡ଼ି ଦେବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ହୋଇପାରିଲାନି। ପ୍ରାୟ ୬ ବର୍ଷ ହେବ ଅନ୍ଧାରରେ ବାଡ଼ି ବୁଲାଇ ନିରାଶ ହେବା ପରେ ଜନସାଧାରଣଙ୍କ ସାହାଯ୍ୟ ଲୋଡ଼ିଛି ପୁଲିସ୍। ଏପରିକି ହ୍ୱାଟସ୍ଆପ୍ରେ ମେସେଜ କରି ନିଖୋଜ ମହିଳାଙ୍କୁ ଚିହ୍ନଟ କରିବାକୁ ଅଣ୍ଟା ଭିଡ଼ିଛି।
ସୂଚନାଯୋଗ୍ୟ, ୨୦୧୫ ମସିହା ଜୁଲାଇ ୨ ତାରିଖରେ ସଇଁତଳା ଥାନା ଅନ୍ତର୍ଗତ ବରଗାଁ ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତା ମହିଳାଙ୍କ ବୟସ ୧୮ରୁ ୨୪ ବର୍ଷ ହେବ ବୋଲି ଜଣାପଡ଼ିଥିଲା।
ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ମହିଳାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ପେଟ୍ରୋଲ ଢାଳି ପୋଡି ଦେଇଥିଲା ହତ୍ୟାକାରୀ। ମୃତଦେହ ନିକଟରୁ ପୁଲିସ୍ ପେଟ୍ରୋଲ ଭର୍ତ୍ତି ବଟଲ ଜବତ କରିଥିଲା। ଏହାପରେ ନିକଟସ୍ଥ ପେଟ୍ରୋଲ ପମ୍ପର ସିସିଟିଭ ଫୁଟେଜର ଖୋଳତାଡ଼ କରି ପୁଲିସ୍ ୨ ଜଣଙ୍କ ସ୍କେଚ ଜାରି କରିଥିଲା। ଏହାସତ୍ତ୍ୱେ ୬ ବର୍ଷ ପରେ ବି ହତ୍ୟାକାରୀର ଟେର ପାଇପାରି ନ ଥିଲା ପୁଲିସ୍ ।
ବଲାଙ୍ଗୀର ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ସୁରାକ ପାଇ ପାରି ନଥିବାରୁ ଟିଟିଲାଗଡ ଏସ୍ଡିପିଓ ଗତକାଲି ହ୍ୱାଟସ୍ ଆପ୍ରେ ଏକ ମେସେଜ ମାଧ୍ୟମରେ ଜନସାଧରଣଙ୍କ ସାହାଯ୍ୟ ମାଗିଛନ୍ତି । ମହିଳାଜଣଙ୍କୁ ୬ ବର୍ଷ ପୂର୍ବେ ହତ୍ୟା କରାଯାଇଛି। ଏଯାଏ ମୃତା ମହିଳାଙ୍କ କୌଣସି ଦାବିଦାର ପହଞ୍ଚି ନ ଥିବାରୁ ତାଙ୍କୁ ଠାବ କରାଯାଇପାରୁନି। ତେଣୁ ଯଦି କିଏ କୌଣସି ନିଖୋଜ ମହିଳାଙ୍କ ସମ୍ପର୍କରେ ଅବଗତ ଥିବେ, କିମ୍ବା ହତ୍ୟାକାରୀଙ୍କୁ ଚିହ୍ନିଥିବା ସେମାନେ 06652232100 କୁ କଲ କରି ଜଣାଇବାକୁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି । ହେଲେ ଏ ସମ୍ପର୍କରେ କ୍ୟାମେରା ସାମନାରେ କିଛି କହିବାକୁ ମନା କରି ଦେଇଛନ୍ତି ଏସ୍ଡିପିଓ ।
The post ୬ ବର୍ଷ ହେବ ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍, ଶେଷରେ ଲୋଡ଼ିଲା ସାହାଯ୍ୟ appeared first on Odisha Reporter.
from Odisha Reporter https://ift.tt/3pD57YE
No comments:
Post a Comment