ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଡାକ୍ତରୀ ଛାତ୍ରଙ୍କ ୪୨୦ ଫର୍ମୂଲା । ଏହି ଫର୍ମୂଲା ପକାଇ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଲୁଟି ସାରିଲେଣି ପ୍ରେମିକ ପ୍ରବର । ଏଥିପାଇଁ ବିଛାଉଥିବା ପ୍ରେମ ଜାଲରେ ଲଗାଉଥିଲେ ନିଜ ଠକେଇର ତଡକା। ଏପରିକି ଯୁବତୀଜଣକ ଭରସା କରିବା ପରେ ତାଙ୍କ ମୋବାଇଲ, ପର୍ସ ନେଇ ମାରୁଥିଲେ ଚମ୍ପଟ। ଏପରି ୪୨୦ ନକଲି ଡାକ୍ତରୀ ଛାତ୍ର ହେଲେ ପ୍ରଭାସ ରାଜ । ଘର କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ । ଏପରି ଠକ ଏବେ ଶହିଦନଗର ପୁଲିସ୍ ହାବୁଡ଼ରେ ପଡ଼ିଥିବା ବେଳେ ପୁଲିସ୍କୁ ବତାଉଛନ୍ତି ନିଜ ଠକେଇର ଫର୍ମୂଲା।
ପ୍ରଭାସ ରାଜ । ଶିକ୍ଷାଗତ ଯୋଗ୍ୟତା କେବଳ ଷଷ୍ଠ ଶ୍ରେଣୀ। ହେଲେ ଫେସ୍ବୁକ୍ ଦେଖିଲେ ଜଣେ ଏ ସମ୍ପର୍କରେ ଟେର ପାଇବା ଏକ ପ୍ରକାର ଅସମ୍ଭବ । ପାଠ ପଢ଼ା ଆରମ୍ଭ କରୁ କରୁ ସେଥିରେ ଡୋରି ବାନ୍ଧି ଦେଇଥିବା ପ୍ରଭାସ କିନ୍ତୁ ସୋଶାଲ ମିଡିଆରେ ନିଜକୁ ବ୍ରହ୍ମପୁର ଏମକେସିଜିର ଜଣେ ଡାକ୍ତରୀ ଛାତ୍ର ବୋଲି ପରିଚୟ ଦେଉଛନ୍ତି। ଏପରିକି ଶୁଟ୍, ବୁଟ୍, ଗୁଡ ଲୁକିଂ ଚେହେରା ଦେଖି ବହୁ ହାଇ ପ୍ରୋଫାଇଲ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ ପ୍ରଭାସ । ଏହାପରେ ଏପରି ଲୁଟୁଥିଲେ ଯେ, ଲୋକଲଜ୍ଜା ଭୟରେ ବହୁ ଯୁବତୀ ପାଟି ଫିଟାଇ ପାରୁ ନ ଥିଲେ ।
ପ୍ରଭାସଙ୍କ ହାବଭାବ, ଚାଲିଚଳଣୀ ଦେଖି ବହୁ ଯୁବତୀ ତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଏହାପରେ ପ୍ରଭାସ ବି ନିଜକୁ ପ୍ରେମିକ ନଂ-୧ ସଜାଇବାରେ କୌଣସି ତ୍ରୁଟି ରଖୁ ନ ଥିଲେ। ସଚ୍ଚା ପ୍ରେମିକ ପରି ନିଜ ପ୍ରେମିକାଙ୍କୁ ଗିଫ୍ଟ ଦେବାକୁ ମଲ୍କୁ ତଥା ଖୁଆଇବାକୁ ବଡ଼ ବଡ଼ ହୋଟେଲକୁ ନେଉଥିଲେ।
ମଲ୍ରେ ଭଳିକି ଭଳି ଡ୍ରେସ ଅଫର କରୁଥିବା ବେଳେ ଯୁବତୀଜଣକ ବି ପ୍ରଭାସଙ୍କ ହାତରେ ନିଜ ମୋବାଇଲ, ପର୍ସ ଧରାଇ ମନଖୁସିରେ ଟ୍ରାଏଲ ରୁମ୍କୁ ଚାଲି ଯାଉଥିଲେ। ଏହାପରେ ପ୍ରେମିକା ଟ୍ରାଏଲ ସାରି ଫେରିବା ବେଳକୁ ପ୍ରଭାସ ଗାଏବ । ଏପରିକି ଲୋକଲଜ୍ଜା ଭୟରେ ଏନେଇ ସେମାନେ ବାହାରେ କିଛି କହୁ ନ ଥିବା ବେଳେ କାନମୁଣ୍ଡ ଆଉଁସି ରହୁଥିଲେ।
ସେହିପରି ହୋଟେଲକୁ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ଖୁଆଇବାକୁ ତଥାକଥିତ ପ୍ରେମିକାଙ୍କୁ ନେଇ ଯାଉଥିଲେ ପ୍ରଭାସ। ଏପରିକି ଯୁବଜୀଜଣକ ମଝିରେ ୱାଶରୁମ୍କୁ ଯିବା ବେଳେ ଏହି ସୁଯୋଗକୁ ହାତ ଛଡ଼ା କରି ନ ଥାନ୍ତି ପ୍ରଭାସ। ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ, ପର୍ସ ଧରି ଏରିଆ ଛାଡ଼ି ଚମ୍ପଟ ମାରିଥାନ୍ତି।
ପ୍ରେମ ଜାଲରେ ଫସାଇ ପାଖାପାଖି ଦେଢଶରୁ ଅଧିକ ଯୁବତୀଙ୍କୁ ଏପରି ଲୁଟି ସାରିଛନ୍ତି ପ୍ରଭାସ । ହେଲେ ସବୁ ଦିନ ଚୋର ଘର ଅନ୍ଧାର ରୁହେନି । ଏ ନେଇ ପୁଲିସ୍ ପାଖରେ ଅଭିଯୋଗ ହେବା ପରେ ପୁଲିସ୍ ଶହୀଦନଗରରୁ ମାଡ଼ି ବସିଛି ପ୍ରଭାସଙ୍କୁ।
ଗିରଫ ହେବା ପ୍ରଭାସଙ୍କ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଏପରି ରେକର୍ଡ ରହିଛି ତାଙ୍କ ନାଁରେ। ପୂର୍ବରୁ କଟକ ଜିଲ୍ଲାର ବାଦାମବାଡ଼ି ଓ ଜଗତପୁର ଥାନାରେ ମଧ୍ୟ ପ୍ରଭାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୩ ଥର ଗିରଫ ହୋଇ ସାରିଲେଣି ସେ। ଏବେ ପୁଲିସ୍ ହାବୁଡରେ ପଡ଼ିଥିବା ପ୍ରଭାସ ଜେଲ୍ରୁ ବାହାରିବା ପରେ ନିଜ ପ୍ରକୃତି ବଦଳାଇ ଦେଉଛନ୍ତି, ନା ପରବର୍ତ୍ତୀ ଟାର୍ଗେଟ ସନ୍ଧାନରେ ଲାଗି ପଡ଼ୁଛନ୍ତି ତାହା ଦେଖିବାକୁ ବାକି ରହିଲା।
The post ନକଲି ଡାକ୍ତରୀ ଛାତ୍ରଙ୍କ ୪୨୦ ଫର୍ମୂଲା, ଦେଢ଼ଶହ ଯୁବତୀଙ୍କୁ କରି ସାରିଲେଣି ଟାର୍ଗେଟ appeared first on Odisha Reporter.
from Odisha Reporter https://ift.tt/3Eu0MNU
No comments:
Post a Comment