ୱେଲିଙ୍ଗଟନ୍: ଦୀର୍ଘ ୨ ବର୍ଷ ହେଲାଣି ମହାମାରୀ କରୋନା ସାରା ବିଶ୍ୱକୁ ଆଉଟ ପାଉଟ କରୁଛି। କେତେବେଳେ ଡେଲ୍ଟା ତ ଆଉ କେତେବେଳେ ଓମିକ୍ରନର ରୂପ ନେଇ କରୋନା ଭାଇରସ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ହେଲେ ଏମିତି ଏକ ଦ୍ୱୀପପୁଞ୍ଜ ରହିଥିଲା ଯେଉଁଠାରେ ଦୁଇ ବର୍ଷ ମଧ୍ୟରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କିନ୍ତୁ ସମୟ ବଦଳିବା ସହ ସ୍ଥିତି ବଦଳିଛି।
ଆଜି(ଶନିବାର) ଉକ୍ତ ଦ୍ୱୀପରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦକ୍ଷିଣ ପ୍ୟାସିଫିକ ଅନ୍ତର୍ଗତ କୁକ ଦ୍ୱୀପପୁଞ୍ଜରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। କୁକ ଦ୍ୱୀପପୁଞ୍ଜର ରାଜନୀତିକ ଲିଙ୍କ ନ୍ୟୁଜିଲ୍ୟାଣ୍ଡ ସହ ରହିଛି। ନ୍ୟୁଜିଲ୍ୟାଣ୍ଡରେ ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ କୁକ ଦ୍ୱୀପପୁଞ୍ଜରେ ମହାମାରୀ ପ୍ରବେଶ କରିପାରି ନଥିଲା।
ଏହି ଦ୍ୱୀପରେ ୨୦୧୬ ଜନଗଣନା ଅନୁଯାୟୀ ୧୭,୪୫୯ ଜଣ ଲୋକ ରୁହନ୍ତି। ଏଠାରେ ୯୬% ଲୋକ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି। ଏବେ କିନ୍ତୁ ଜଣେ ୧୦ ବର୍ଷୀୟ ବାଳକଙ୍କ ଶରୀରରୁ କରୋନା ବୂତାଣୁ ଠାବ ହୋଇଛି। ସେ ନ୍ୟୁଜିଲ୍ୟାଣ୍ଡରୁ ନିଜ ପରିବାର ସହ ଗୁରୁବାର କୁକ ଦ୍ୱୀପକୁ ଫେରିଥିଲେ। ଏହି ସମୟରେ ତାଙ୍କର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି।
ଏବେ ସେ ପୂରା ପରିବାର ସହ କ୍ୱାରେଣ୍ଟିନରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ମାର୍କ ବ୍ରାଉନ କହିଛନ୍ତି, “ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ହେବା ପରେ ଆମେ ସୀମା ଖୋଲିଛୁ। ଆମେ ପ୍ରସ୍ତୁତ ଥିବାରୁ ସୀମାନ୍ତରେ ହିଁ ପଜିଟିଭ କେସ୍ ଠାବ କରିଛୁ। ଟେଷ୍ଟିଂ ମଧ୍ୟ ଜୋରଦାର ହେଉଛି।”
ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର କରିବା ସମୟରେ କୁକ ଦ୍ୱୀପର ସରକାର ନିଜ ସୀମାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ। ତେବେ ସଂକ୍ରମଣ କମିବା ପରେ ସରକାର ନ୍ୟୁଜିଲ୍ୟାଣ୍ଡ ସହ କ୍ୱାରେଣ୍ଟିନ ମୁକ୍ତ ବିମାନ ସେବା ଆରମ୍ଭ କରିଥିଲେ। ଜାନୁଆରୀ ୧୪ରୁ ଏହି ସେବା ଆରମ୍ଭ ହୋଇଥିଲା।
The post କରୋନା ବ୍ୟାପିବାର ଦୁଇ ବର୍ଷ ପରେ ଏଠାରେ ଚିହ୍ନଟ ହେଲା ପ୍ରଥମ ମାମଲା appeared first on Odisha Reporter.
from Odisha Reporter https://ift.tt/3lvNoBu
No comments:
Post a Comment