ମୁମ୍ବାଇ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ତା’ର କାୟାବିସ୍ତାର କରୁଥିବାରୁ ମୁମ୍ବାଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଆଜି ଓ ଆସନ୍ତାକାଲି ମୁମ୍ବାଇରେ ୧୪୪ ଧାରା ଲାଗୁ ହେବ। ମୁମ୍ବାଇରେ କୌଣସି ପ୍ରକାରର ଭିଡ଼, ବିକ୍ଷୋଭ ଓ ସମାବେଶ ହୋଇପାରିବ ନାହିଁ।
ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡେପୁଟି ପୁଲିସ୍ କମିଶନର(ଅପରେସନ) ୪୮ ଘଣ୍ଟା ପାଇଁ ଏପରି କଟକଣା ଲଗାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ୧୪୪ ଧାରା ଲାଗୁ ହେଉଥିବାରୁ ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଉଛି। ଲୋକଙ୍କୁ ମାଇକ ଯୋଗେ ମଧ୍ୟ ସତର୍କ କରାଯାଉଛି।
ଜଣେ ଅଧିକାରୀ କହିଛନ୍ତି, “ନୂଆ ଓମିକ୍ରନ ଭାରିଏଣ୍ଟରୁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଅମରାବତୀ, ମାଲେଗାଓଁ ଓ ନାନ୍ଦେନ୍ଦରେ ଦେଖା ଯାଇଥିବା ହିଂସାକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆଇପିସିଏର ୧୮୮ ଓ ଅନ୍ୟାନ୍ୟ ଦଫାରେ ଦଣ୍ଡ ଦିଆଯିବ।”
ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୯ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ଭାରତରେ ମଧ୍ୟ ୩୨ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନେକ ବିଦେଶ ଫେରନ୍ତାଙ୍କ ଜେନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବାର ବାକି ରହିଛି।
ତେଣୁ ରାଜ୍ୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହି କାରଣରୁ ମହାରାଷ୍ଟ୍ର ସରକାର କଟକଣା ଲଗାଇବା ଆରମ୍ଭ କରିଛନ୍ତି। କରୋନାର ଦ୍ୱିତୀୟ ୱେଭ ବେଳେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏଥିପାଇଁ ସରକାର ଓମିକ୍ରନ କାୟା ବିସ୍ତାର କରିବା ପୂର୍ବରୁ ହିଁ ଏହାକୁ ମାତ ଦେବାକୁ ଚାହୁଁଛନ୍ତି।
The post ଓମିକ୍ରନ ପାଇଁ ମୁମ୍ବାଇରେ ଲାଗୁ ହେଲା ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3lUyFAf
No comments:
Post a Comment