ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଜାଡ଼ ମାଡ଼। ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସକାଳଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ତେବେ ଶୀତର ପ୍ରଭାବ ଆଗାମୀ ୨ରୁ ୩ ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।
ପଶ୍ଚିମରୁ ଉତ୍ତର ପୁରା ଜାଡରେ ଥରୁଛି ଓଡିଶା । ବାଲେଶ୍ୱର, ଭଦ୍ରକ ସମେତ ଉପକୂଳ ଓଡିଶାର ଅନେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ଆହୁରି ୩-୪ ଦିନ ପ୍ରବଳ ଥଣ୍ଡା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ବାଲେଶ୍ୱର ଜିଲ୍ଲାରେ ରାତିରେ ତାପମାତ୍ରା ୧୨ ଡିଗ୍ରୀକୁ ଖସି ଆସୁଛି।
ସେହିପରି ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ଶୀତର କୋପ। ପାଣିପାଗ ବିଭାଗ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାହାଡିଆ ଅଞ୍ଚଳ ସାଙ୍ଗକୁ ଖଣି ଅଞ୍ଚଳ ହୋଇଥିବାରୁ ଜାଡରେ ଥରୁଛି ସମଗ୍ର ଜିଲ୍ଲା । ହାଡ଼ ଭଙ୍ଗା ଜାଡ଼ରେ ଅସହାୟ, ବେସାହାରାଙ୍କ ଦୁଖ ଦ୍ୱିଗୁଣିତ ହେଉଛି। ରାସ୍ତାକଡ, ଫୁଟପାଥ, ବସ ଷ୍ଟପ, ରେଲୱେ ଷ୍ଟେସନରେ ଶୀତ କାକରରେ ସେମାନେ କାଟୁଛନ୍ତି ଜୀବନ ।
ପ୍ରବଳ ଶୀତର ପ୍ରକୋପରେ ସକାଳୁ ସକାଳୁ ଲୋକେ ଉଠି ନିଆଁ ଲଗାଇ ସେକି ହେଉଥିବାର ଦୃଶ୍ୟ ବିଭିନ୍ନ ସ୍ଥାନରୁ ଆସୁଛି । ହାଡଭଙ୍ଗା ଜାଡ ଯୋଗୁ ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି।
The post ସବୁଠି ଜାଡ଼ ମାଡ଼, ଏବେ ନିସ୍ତାର ନାହିଁ appeared first on Odisha Reporter.
from Odisha Reporter https://ift.tt/3mptSa8
No comments:
Post a Comment