ନୂଆଦିଲ୍ଲୀ: ଦୀର୍ଘ ଏକ ବର୍ଷ ପରେ ଆଜିଠୁ ଖୋଲିବ ସିଙ୍ଘୁ ଓ ଟିକ୍ରି ସୀମା। ପ୍ରତ୍ୟାହୃତ ହୋଇଛି କୃଷକଙ୍କ ଆନ୍ଦେଳନ, ଚାଲିଛି ଘରବାହୁଡା। ଦିଲ୍ଲୀ ପୁଲିସ ମଧ୍ୟ ଯୁଦ୍ଧସ୍ତରରେ ବ୍ୟାରିକେଡ୍ ହଟାଇବାରେ ଲାଗିଛିପଡିଛି। ଫଳରେ ଆଜି ମଧ୍ୟାହ୍ନ ସୁଦ୍ଧା ସିଙ୍ଘୁ ଓ ଟିକ୍ରି ସୀମାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇପାରେ। ସେପଟେ ଡିସେମ୍ବର ୧୪ ସନ୍ଧ୍ୟା କିମ୍ବା ୧୫ ଡିସେମ୍ବର ସକାଳେ ଯାନବାହାନ ଚଳାଚଳ ପାଇଁ ଗାଜିପୁର ସୀମା ଖୋଲାଯିବ ବୋଲି ଆଶା କରାଯାଉଛି।
ଉତ୍ତର ଜିଲ୍ଲା ଡେପୁଟି କମିଶନର ବିଜୁନ୍ଦ୍ର କୁମାର ଯାଦବ କହିଛନ୍ତି, ସୀମାବର୍ତ୍ତୀ ରାସ୍ତାରେ ଲଗାଯାଇଥିବା ସମସ୍ତ ବ୍ୟାରିକେଡକୁ ପୁଲିସ ହଟାଉଛି। ଏଥିରେ କଂକ୍ରିଟ ଏବଂ କଞ୍ଚା ଲୁହା ତାରରେ ନିର୍ମିତ ବ୍ୟାରିକେଡ୍ ମଧ୍ୟ ସାମିଲ ଅଛି। ରାସ୍ତାରୁ ସମସ୍ତ ପ୍ରକାର ବ୍ୟାରିକେଡ୍ ହଟାଇବା ପରେ ରବିବାର ଅପରାହ୍ନ ସୁଦ୍ଧା ଯାନବାହନ ଚଳାଚଳ ପାଇଁ ସୀମା ଖୋଲାଯିବ ବୋଲି ସେ ଆଶା କରିଛନ୍ତି। କୃଷକମାନେ ନିଜ ଘରକୁ ଫେରୁଛନ୍ତି। ସଡକ ମରାମତି କାର୍ଯ୍ୟ ମଧ୍ୟ ଚାଲିଛି ବୋଲି ପୁଲିସ କହିଛି।
ଗାଜିପୁର ସୀମାରେ ଉପସ୍ଥିତ କୃଷକମାନେ ସ୍ଥାନ ଖାଲି କରିବା ପାଇଁ ଆସନ୍ତାକାଲି ଯାଏଁ ସମୟ ମାଗିଛନ୍ତି। ତିନି କୃଷି ଆଇନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ବିରୋଧରେ ବର୍ଷସାରା ବିରୋଧ ସ୍ଥଗିତ ରଖିବା ପରେ ଗାଜିପୁର ସୀମାରେ ଥିବା କୃଷକମାନେ ଉତ୍ସବ ପାଳନ କରିଥିଲେ। କିଛି କୃଷକ ଖୁସିରେ ନାଚୁଥିବା ମଧ୍ୟ ନଜର ଆସିଥିଲେ।
ସେପଟେ କୃଷକମାନେ ଆନ୍ଦୋଳନରୁ ହଟିଯାଇଥିଲେ ମଧ୍ୟ ଚାଷୀ ନେତା ରାକେଶ ଟିକାୟତଙ୍କ କିନ୍ତୁ ସରୁନି ଆନ୍ଦୋଳନ। ଉତ୍ତରପ୍ରଦେଶ-ଦିଲ୍ଲୀ ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିୟନ(ବିକେୟୁ) ରାକେଶ ଟିକାୟତଙ୍କ ଆନ୍ଦୋଳନ ଆଉ କିଛି କାଳ ଚାଲିବ ବୋଲି କହିଛନ୍ତି।
ଦିଲ୍ଲୀର ବିଭିନ୍ନ ସୀମାରୁ ଚାଷୀମାନେ ଘରକୁ ଫେରିଥିଲେ ବି ଆନ୍ଦୋଳନ ସ୍ଥଳରୁ ରାକେଶ ଟିକାୟତ ଏବେ ଉଠିବେନି ବୋଲି ସଫାସଫା କହିଛନ୍ତି। ନିଜନିଜ ଘରକୁ ଫେରୁଥିବା ଚାଷୀ ଯେପରି କୁଶଳ ମଙ୍ଗଳରେ ଘରେ ପହଞ୍ଚିବେ ସେଥିଲାଗି ଚାଷୀ ନେତା ଟିକାୟତ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ହେଲେ ନିଜ ତମ୍ବୁ ଖୋଲିବାର ନାଁ ନେଉ ନାହାନ୍ତି। ଏଣୁ ଗଣମାଧ୍ୟମ ଏବେ ତାଙ୍କୁ ଘେରିଛନ୍ତି।
ବିରୋଧ ସ୍ଥଳରୁ ତମ୍ବୁ କାହିଁକି ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ‘ମଣିଷ ଯେଉଁ ସ୍ଥାନରେ ରହେ ସେହି ସ୍ଥାନ ସହ ତାର ସମ୍ପର୍କ ହୋଇଯାଏ। ଏଣୁ ଏହା ଉଜୁଡିଗଲେ ଦୁଃଖ ଲାଗେ। ଆନ୍ଦୋଳନର ସ୍ମୃତି ମନରେ ରହିଯିବ। ଏତେ ସମୟ ଧରି ଯେଉଁ ଲୋକେ ସାଙ୍ଗରେ ଥିଲେ ସେମାନେ ମନେ ରହିବେ। ତେବେ ଡିସେମ୍ବର ୧୩ ତାରିଖରେ ସେ ଅମୃତସର ଯାଇ ଅରଦାସରେ ସାମିଲ ହେବେ। ୧୪ ତାରିଖରେ ହରିୟାଣାର ସବୁ ମୋର୍ଚ୍ଚାଙ୍କୁ ଭେଟି ସେମାନଙ୍କର ଆନ୍ଦୋଳନ ସମାପ୍ତ କରିବେ ଓ ୧୫ ତାରିଖ ଦିନ ଏଠାରୁ ନିଜର ତମ୍ବୁ ଉଠାଇ ଚାଲିଯିବେ ବୋଲି କହିଛନ୍ତି।’
The post ଆଜିଠୁ ଖୋଲିବ ସିଙ୍ଘୁ ଓ ଟିକ୍ରି ବର୍ଡର, କିନ୍ତୁ ସରୁନି ଟିକାୟତଙ୍କ ଆନ୍ଦୋଳନ appeared first on Odisha Reporter.
from Odisha Reporter https://ift.tt/3yhrF5p
No comments:
Post a Comment