ନିଆଳି/ବାସୁଦେବପୁର(ଓଡ଼ିଶା ରିପୋର୍ଟର): ବିବାହ ବେଳେ ଯୌତୁକ ମାଗିବା ଦଣ୍ଡନୀୟ ଅପରାଧ। ଏହା ଜାଣି ମଧ୍ୟ ଅନେକ ସ୍ଥାନରେ ଲୋକେ ଅଜଣା ହେଉଛନ୍ତି। ବିବାହ ସମୟରେ ଝିଅ ଘରୁ ମୋଟା ଅଙ୍କର ଯୌତୁକ ଦାବି କରୁଛନ୍ତି। ଝିଅ ଘର ଲୋକେ ଯୌତୁକ ନ ଦେଲେ ବୋହୂକୁ ନିର୍ଯାତନା ଦେବା ସହ ହତ୍ୟା କରୁଥିବାର ଖବର ବିଭିନ୍ନ ସମୟରେ ଆସୁଛି। ଏବେ ଏହିଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଓ କଟକ ଜିଲ୍ଲା ନିଆଳିରୁ।
୫୦ ହଜାର ଟଙ୍କା ନ ଦେବାରୁ ଝିଅକୁ ତା’ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ। ପୁଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ତାଙ୍କ ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି।
ମୃତ ମହିଳାଙ୍କ ନାଁ ଗୀତା ମଲିକ। ବାସୁଦେବପୁର ଥାନା ଅଢୁଆଁ ଗାଁର ମୂରଲୀ ମଲିକଙ୍କ ଝିଅ ଗୀତା ସେହି ଗାଁର ଅର୍ଜୁନ ମଲିକଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଗୀତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ବାବଦରେ ୫୦ହଜାର ଟଙ୍କା ଦାବି କରିଥିଲେ। ତେବେ ଗୀତାଙ୍କ ବାପ ଘର ଲୋକେ ଏହି ଟଙ୍କା ଦେଇ ପାରି ନଥିଲେ। ସେଥିପାଇଁ ଶ୍ୱଶୁର ଘର ଲୋକେ ତାଙ୍କୁ ନାନା ନିର୍ଯାତନା ଦେଉଥିଲେ।
ଗୀତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଶାଶୂ ଘର ଲୋକେ ମାଡ଼ ମାରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ। ଗତକାଲି ଝିଅ ତାଙ୍କୁ ଫୋନ୍ କରି ଏହି କଥା କହିଥିଲା। କିନ୍ତୁ ତା’ କଥା ଶୁଣି ସେଠାରେ ପହଞ୍ଚିଲା ବେଳକୁ ତା’ ମୃତଦେହ ପଡ଼ିଥିଲା।
ସେହିପରି କଟକ ଜିଲ୍ଲା ନିଆଳି ଥାନା ପୋଖରୀଗାଁ ରାଣୀପଡ଼ାର ରୁପଳି ଦାଶଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ବାପ ଘର ଲୋକେ ଏନେଇ ନିଆଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ରୁପଳିଙ୍କ ସ୍ୱାମୀ ଓ ଦେଢ଼ଶୁରଙ୍କୁ ଅଟକ ରଖିଛି।
ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅବଦଲପୁର ଗାଁର ଫୁକୁନ ଦାସଙ୍କ ବଡ଼ ଝିଅ ରୁପଳି ୨୦୧୮ ଜୁନ୍ ୨୩ ତାରିଖରେ ପୋଖରୀଗାଁ ରାଣୀପଡ଼ାରେ ଜଟାଧାରୀ ଦାସଙ୍କ ସାନପୁଅ ମନୋଜଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବର ଘର ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା। ତେବେ ଝିଅ ଘର ପକ୍ଷରୁ ଏକ ଲକ୍ଷ ଟଙ୍କା ଦିଆଯାଇଥିଲା। ବାକି ପଚାଶ ହଜାର ଟଙ୍କା ପାଇଁ ଶ୍ୱଶୁର ଘର ଲୋକେ ରୁପଳିଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।
ଟଙ୍କା ପାଇଁ ଛଅ ମାସ ତଳେ ରୁପଳିଙ୍କୁ ମାଡ଼ ମାରି ତାଙ୍କ ବାପ ଘରକୁ ପଠାଇ ଦିଆଯାଇଥିଲା। ବାପଘରେ ରୁପଳି ୪ ମାସ ରହିଥିଲେ। ଏହା ପରେ ନାତିର ପ୍ରଥମାଷ୍ଟାମୀ କଥା କହି ଶ୍ୱଶୁର ଘର ଲୋକେ ରୁପଳିଙ୍କୁ ନେଇ ଯାଇଥିଲେ। କିନ୍ତୁ ଗତକାଲି ସେମାନେ ତାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।
ଘଟଣା ସଂପର୍କରେ ଗତକାଲି ରାତିରେ ନିଆଳି ଥାନାରେ ରୁପଳିଙ୍କ ବାପଘର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ରୁପଳିଙ୍କର ଦେଢ଼ବର୍ଷର ପୁଅଟିଏ ଅଛି।
The post ଯୌତୁକ ଜୁଈରେ ଜଳିଲା ଦୁଇ ଜୀବନ appeared first on Odisha Reporter.
from Odisha Reporter https://ift.tt/3JvBzWi
No comments:
Post a Comment