ନୂଆଦିଲ୍ଲୀ: ଦିଲ୍ଲୀ ଓ ହରିଦ୍ୱାରରେ ତଥା କଥିତ ହିନ୍ଦୁ ବାହିନୀ ଆୟୋଜନ କରିଥିବା ଧର୍ମ ସଂସଦରେ ଘୃଣା ସୃଷ୍ଟି କରିବା ଭଳି ବୟାନ ଦିଆଯାଇଥିଲା। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରିବା ପାଇଁ ହରିଦ୍ୱାରରେ ଆୟୋଜିତ ଧର୍ମ ସଂସଦରେ ସ୍ୱାଧୀ ଅନ୍ନପୂର୍ଣ୍ଣ ଆହ୍ୱାନ ଦେଇଥିଲେ। ଏପରି ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ବିରୋଧରେ ସୁପ୍ରିମକୋର୍ଟର ୭୬ ଜଣ ବରିଷ୍ଠ ଓକିଲ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଏନଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି।
ସିଜେଆଇ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି। ବିଦ୍ୱେଷ ଓ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଲୋକମାନଙ୍କ ନାଁ ମଧ୍ୟ ଉକ୍ତ ଚିଠିରେ ରହିଛି। ମୋଟ ୯ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ବିବାଦୀୟ ବୟାନ ସତ୍ତ୍ୱେ ପୁଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଦୈନିନ୍ଦିନ ଘଟୁଥିବା ଏପରି କାର୍ଯ୍ୟକ୍ରମକୁ ରୋକିବାକୁ ହେଲେ ନ୍ୟାୟପାଳିକାଙ୍କ ହସ୍ତକ୍ଷେପ ଜରୁରୀ ବୋଲି ଆଇନଜୀବୀମାନେ ମିଳିତ ଚିଠିରେ ଲେଖିଛନ୍ତି।
ହରିଦ୍ୱାରା ଓ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଧର୍ମ ସଭାରେ ଘଟିଥିବା ବିଦ୍ୱେଷ ସୃଷ୍ଟିକାରୀ ବୟାନ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଚିଠିରେ ରହିଛି। ଏଥିରେ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ, ଆଇନଜୀବୀ ଦୁଷ୍ୟନ୍ତ ଡାଭେ, ପ୍ରଶାନ୍ତ ଭୂଷଣ, ବ୍ରିନ୍ଦା ଗ୍ରୋଭର, ସଲମନ ଖୁର୍ସିଦ, ରାଜୁ ରାମଚନ୍ଦ୍ରନ, ଅମିତା ଯୋଶେଫ, ଜୟନ୍ତ ତ୍ରିପାଠୀଙ୍କ ଭଳି ୭୬ ଜଣ ଓକିଲ ଦସ୍ତଖତ କରିଛନ୍ତି।
ସେମାନେ କହିଛନ୍ତି, ଚିଠିରେ ଥିବା ଲୋକମାନେ କେବଳ ଘୃଣା ସୃଷ୍ଟିକାରୀ ବୟାନରେ ସୀମିତ ନାହାନ୍ତି। ସେମାନେ କାର୍ଯ୍ୟକ୍ରମ ଆୟୋଜନ କରି ଗୋଟିଏ ସଂପ୍ରଦାୟର ସମସ୍ତ ଲୋକଙ୍କୁ ହତ୍ୟା କରିବାକୁ ଆହ୍ୱାନ ଦେଇଛନ୍ତି। ଏପରି ବୟାନ କେବଳ ଆମ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିନି, ବରଂ ଲକ୍ଷାଧିକ ମୁସଲିମ ସଂପ୍ରଦାୟର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।
ଖୋଲାଖୋଲି ଭାବେ କାର୍ଯ୍ୟକ୍ରମରେ ଧମକ ଦିଆଯାଉଥିଲେ ମଧ୍ୟ ୧୫୩, ୧୫୩ଏ, ୧୫୩ ବି, ୨୯୫ ଏ, ୫୦୪, ୫୦୬, ୧୨୦ବି ଓ ଆଇପିସିର ୩୪ ଅନୁଯାୟୀ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇନି। ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଲୋକମାନେ ପୂର୍ବରୁ ମଧ୍ୟ ଅନେକ ଥର ଏପରି କଥା କହିଛନ୍ତି।
ହେଲେ ପୁଲିସ୍ କେବଳ ନୀରବଦ୍ରଷ୍ଟା ସାଜିଛି। ତେଣୁ ନ୍ୟାୟପାଳିକା ଏଥିରେ ହସ୍ତକ୍ଷେପ କରିବା ଦରକାର। କାରଣ ପ୍ରତିଦିନ ଏପରି ଘଟଣା ଘଟିବା ଆରମ୍ଭ ହେଲାଣି ବୋଲି ଆଇନଜୀବୀମାନେ ଚିଠିରେ କହିଛନ୍ତି।
ହରିଦ୍ୱାରରରେ ୧୭ରୁ ୧୯ ତାରିଖ ଯାଏ ଧର୍ମ ସଂସଦ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ବକ୍ତାମାନେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଓ ସାମ୍ପ୍ରଦାୟିକ ସମନ୍ୱୟ ବିରୋଧରେ କ୍ରମାଗତ ବୟାନ ଦେଇଥିଲେ। ମୁସଲିମଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ମଧ୍ୟ ସେମାନେ ଆହ୍ୱାନ କରିଥିଲେ।
ବିବାଦୀୟ ବୟାନକୁ ନେଇ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହେବା ପରେ ପୁଲିସ୍ ମାମଲା ରୁଜୁ କରିଛି। ହେଲେ ଏଥିରେ କେବଳ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ପୁଣି ବିବାଦ ହେବା ହେବାରୁ ପୁଲିସ୍ ଧର୍ମ ଦାସ ଓ ସାଧ୍ୱୀ ଅନ୍ନପୂର୍ଣ୍ଣାଙ୍କ ନାଁକୁ ଯୋଡ଼ିଛି। ସାମ୍ନାକୁ ଆସିଥିବା ଭିଡିଓରେ ସାଧ୍ୱୀ ଅନ୍ନପୂର୍ଣ୍ଣା କହିଥିଲେ ଯେ “ଆପଣମାନେ ଯଦି ସେମାନଙ୍କୁ ଶେଷ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ହତ୍ୟା କରନ୍ତୁ। ୨୦ ଲକ୍ଷ ଲୋକଙ୍କୁ ମାରି ପାରୁଥିବା ୧୦୦ ଜଣ ସୈନ୍ୟ ଆମର ଦରକାର।” ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ହିନ୍ଦୁ ରକ୍ଷା ସେନାର ପ୍ରବୋଧାନନ୍ଦ ଗିରି ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି।
ସେ କହିଛନ୍ତି, “ମିଆଁମାର ଭଳି ଆମ ଦେଶର ପୁଲିସ୍, ରାଜନେତା, ଆର୍ମି ଓ ପ୍ରତିଟି ହିନ୍ଦୁ ଅସ୍ତ୍ର ଉଠାଇବା ଦରକାର। ଏହି ଅସ୍ତ୍ରରେ ସଫେଇ ଅଭିଯାନ ଆରମ୍ଭ ହେବ। ଏବେ ଆଉ କୌଣସି ବିକଳ୍ପ ନାହିଁ।” ଏପରି ବୟାନ ଦେଇ ସେ ଅନୁତପ୍ତ ନୁହନ୍ତି ଓ ପୁଲିସ୍କୁ ଡରିନାହାନ୍ତି ବୋଲି କହିଛନ୍ତି।
The post ଧର୍ମ ସଂସଦରେ ନରସଂହାର ବୟାନ: ସିଜେଆଇଙ୍କୁ ଚିଠି ଲେଖିଲେ ଦେଶର ୭୬ ଜଣ ଓକିଲ appeared first on Odisha Reporter.
from Odisha Reporter https://ift.tt/3mAOpbU
No comments:
Post a Comment